ଵାସିଂଟନ: ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଭାବେ ଡେମୋକ୍ରାଟିକ୍ ଦଳର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇ ବୁଧବାର ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍। ଏହି ଅବସରରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କର ବିଶାଳ ବିଫଳତାର ଅବତାରଣା କରିବା ସହ ରାଷ୍ଟ୍ରପତି ଭାବେ ଦଳୀୟ ପ୍ରାର୍ଥୀ ଜୋ ବାଇଡେନ୍ଙ୍କୁ ଜିତାଇବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଟ୍ରମ୍ପ୍ ହିଁ ଆମମାନଙ୍କର ଦୁଃଖକୁ ରାଜନୈତିକ ଅସ୍ତ୍ର କରିଛନ୍ତି ଏବଂ ତାଙ୍କ ନେତୃତ୍ବର ବିଫଳତା ଯୋଗୁଁ ଦେଶବାସୀ ନିଜର ଜୀବନ ଓ ଜୀବିକା ହରାଇବସିଛନ୍ତି ବୋଲି କମଳା ନିଜ ପ୍ରାର୍ଥିତ୍ବ ଗ୍ରହଣ ପରର ପ୍ରଥମ ଅଭିଭାଷଣରେ ଅଭିଯୋଗ ଆଣିଛନ୍ତି। ସେହିପରି ସମଗ୍ର ଆମେରିକା ଏକ ପ୍ରିୟ ସମୁଦାୟ ହୋଇ ରହିଛି ଯେଉଁଠିକି ସମସ୍ତଙ୍କୁ ସ୍ବାଗତ କରାଯାଇ ଆସୁଛି।
କିଏ କେଉଁଠି ଆସିଛି, କିଏ କେମିତି ଦେଖାଯାଉଛି ବା କିଏ କାହାକୁ ଶ୍ରଦ୍ଧା କରୁଛି, ସେ ସବୁ ନିର୍ବିଶେଷରେ ଆମେ ସମସ୍ତେ ଏଠି କାମ କରିବା ପାଇଁ ବଦ୍ଧ ପରିକର। ତେବେ ବର୍ଣ୍ଣବୈଷମ୍ୟ ଦୂର ପାଇଁ ସେଭଳି କୌଣସି ଟିକା ନାହିଁ ବୋଲି କମଳା କଟାକ୍ଷ କରି ତାଙ୍କ ପ୍ରତି ଟ୍ରମ୍ପ୍ କରିଥିବା ଆକ୍ଷେପର ପରୋକ୍ଷ ଜବାବ ଦେଇଛନ୍ତି। କମଲା ହାରିସ ଆଜି ଦେଇଥିବା ବକ୍ତବ୍ୟ ଭାରତରେ ବିଶେଷକରି ତାମିଲମାନଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ତାଙ୍କ ଭାଷଣରେ ‘ଚିତିସ୍’ କହିଥିଲେ। ଏହାପରେ ଗୁଗୁଲ୍ରେ ଉକ୍ତ ଶବ୍ଦକୁ ଆମେରିକୀୟମାନେ ବହୁମାତ୍ରାରେ ଖୋଜିଥିଲେ। ଏହାର ଅର୍ଥ ସେମାନେ ମାଉସୀ ବୋଲି ଜାଣିବାକୁ ପାଇଥିଲେ। ବିଶ୍ବବ୍ୟାପୀ ତାମିଲମାନେ କମଲାଙ୍କ ଏହି ମାଉସୀ ଶବ୍ଦ ଉଚ୍ଚାରଣରେ ଉତ୍ସାହିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/kamla-harris-1.jpg)