ୱାସିଂଟନ : ବ୍ରିଟିସ ରାଜ ପରିବାର ବିରୋଧରେ ଠିଆ ହେବାରୁ ପ୍ରିନ୍ସ ହ୍ୟାରି ଓ ତାଙ୍କ ପତ୍ନୀ ମେଘାନ ମର୍କଲେଙ୍କୁ ନ୍ୟୁୟର୍କରେ ‘ରିପ୍‌ଲ ଅଫ୍ ହୋପ୍’ ଉତ୍ସବରେ ମାନବାଧିକାର ପୁରସ୍କାରରେ ସମ୍ମାନିତ କରାଯାଇଛି। ଜାତିଆଣ ଅନ୍ୟାୟ ଓ ମାନସିକ ଅସୁସ୍ଥତା ପାଇଁ ଲଢ଼େଇ କରିଥିବାରୁ ରବର୍ଟ ଏଫ୍ କେନେଡି ହ୍ୟୁମ୍ୟାନ୍ ରାଇଟ୍‌ସ ଫାଉଣ୍ଡେସନ ପକ୍ଷରୁ ‌ସେମାନଙ୍କୁ ପୁରସ୍କୃତ କରାଯାଇଛି।
ସଂଗଠନ ସଭାପତି ତଥା ଆମେରିକା ସିନେଟର ରବର୍ଟ ଏଫ୍‌ କେନେଡ଼ିଙ୍କ କନ୍ୟା କେରୀ କେନେଡ଼ି କହିଛନ୍ତି ଯେ ଏହି ଦମ୍ପତି ଅତ୍ୟନ୍ତ ସାହସୀ, ଯେଉଁମାନେ ଜାତିଗତ ଅନ୍ୟାୟ ଓ ମାନସିକ ଅସୁସ୍ଥତା ବିରୋଧରେ ନିଜ ପରିବାର ତଥା ରାଜ ପରିବ‌ାର ସହ ଲଢ଼େଇ କରିବାକୁ ସାହସ ଜୁଟାଇ ପାରିଛନ୍ତି। ପୁରସ୍କାର ଗ୍ରହଣ କରି ମେଘାନ ଓ ପ୍ରିନ୍ସ ହ୍ୟାରି କହିଲେ ଯେ ‘ଆଶାର ବୁଦ୍‌ବୁଦ ପରିବର୍ତ୍ତନର ଲହଡ଼ି’ରେ ପରିଣତ ହୋଇପାରେ।

Advertisment

ଏକ ନେଟ୍‌ଫ୍ଲିକ୍ସ ଡକୁମେଣ୍ଟାରୀ ସିରିଜ୍ ପ୍ରକାଶ ପାଇବା ପୂର୍ବରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରାଜକୁମାର ଦମ୍ପତିଙ୍କ ଉପରେ ଏହି ଡକୁମେଣ୍ଟାରୀଟି ପର୍ଯ୍ୟବସିତ। ପ୍ରିନ୍ସ ହ୍ୟାରି ଓ ମେଘାନ ଦୁଇବର୍ଷ ତଳେ ରାଜକୀୟ କର୍ତ୍ତବ୍ୟ ଛାଡ଼ି କାଲିଫର୍ଣ୍ଣିଆ ଚାଲିଆସିଥିଲେ। ବ୍ରିଟିସ ରାଜ ପରିବାର ଜାତିଆଣ ଭେଦଭାବ କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ତେବେ ରାଜ ପରିବାର ପକ୍ଷରୁ ଏହି ଅଭିଯୋଗକୁ ଅସ୍ବୀକାର କରାଯାଇଥିଲା।