ଲକ୍ଷ୍ମୌ: ପୂର୍ବତନ ସାଂସଦ ଏବଂ ବାହୁବଳୀ ନେତା ଡିପି ଯାଦବଙ୍କ ପୁଅ ଏବଂ ନୀତିଶ କଟାରା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିକାଶ ଯାଦବଙ୍କ (୫୨) ବିବାହ ଗାଜିଆବାଦର ରାଜନଗରସ୍ଥିତ ଘରେ ସମ୍ପର୍ଣ୍ଣ ହୋଇଛି।
ବିକାଶ ଯାଦବ ହର୍ଷିକା ଯାଦବ (୩୦)ଙ୍କୁ ବିବାହ କରିଛନ୍ତି। ପୁଅ ବିବାହକୁ ନେଇ ଡିପି ଯାଦବ କହିଛନ୍ତି,‘ ବିକାଶଙ୍କ ବିବାହ ଆର୍ଯ୍ୟ ସମାଜର ବୈଦିକ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଛି। ବିବାହରେ କେବଳ ନିକଟତର ଲୋକ ଏବଂ ବନ୍ଧୁମାନେ ଉପସ୍ଥିତ ଥିଲେ।’
ସୂଚନାଯୋଗ୍ୟ, ବିକାଶ ଏବଂ ତାଙ୍କ ସମ୍ପର୍କୀୟ ଭାଇ ବିଶାଳ ଯାଦବ ୧୭ ଫେବୃଆରି ୨୦୦୨ରେ ଗାଜିଆବାଦରେ ନୀତିଶ କଟାରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନୀତିଶ ଜଣେ ଆଇଏଏସ୍ ଅଧିକାରୀଙ୍କ ପୁଅ ଥିଲେ। ନୀତିଶ ଡିପି ଯାଦବଙ୍କ ଝିଅ ଭାରତୀ ଯାଦବଙ୍କ ବନ୍ଧୁ ଥିଲେ। ବିକାଶ ଏବଂ ବିଶାଳ ଏହି ବନ୍ଧୁତାକୁ ପସନ୍ଦ କରୁ ନଥିଲେ। ତେଣୁ ଦୁଇ ଭାଇ ମିଶି ନୀତିଶଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟା ମାମଲାରେ ଟ୍ରାଏଲ୍ କୋର୍ଟ ୨୦୦୮ରେ ବିକାଶ ଏବଂ ବିଶାଳଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏହାପରେ, ଦିଲ୍ଲୀ ହାଇକୋର୍ଟ ୨୦୧୪ରେ ଓ ସୁପ୍ରିମକୋର୍ଟ ୨୦୧୫ରେ ଏହି ଦଣ୍ଡକୁ ବଜାୟ ରଖିଥିଲେ।
ବିକାଶ ଯାଦବଙ୍କୁ ବିବାହ ପରେ ଲୋକେ ହର୍ଷିକା ଯାଦବ କିଏ , ସେ କ’ଣ କରନ୍ତି ଇତ୍ୟାଦି ବିଷୟରେ ଜାଣିବାକୁ ଚାହିଁଛନ୍ତି।।
ବିକାଶ ଯାଦବଙ୍କ ପତ୍ନୀ ହର୍ଷିକା ଯାଦବ ଫିରୋଜାବାଦ ଜିଲ୍ଲାର ଶିକୋହାବାଦର ବାସିନ୍ଦା। ତାଙ୍କ ବାପା ଜଣେ ସରକାରୀ ଶିକ୍ଷକ। ହର୍ଷିକା ବି ନିଜେ ଜଣେ ମେଧାବୀ ଛାତ୍ରୀ। ସେ ବିଏସସି, ବିଟିସି, ଏମଏସସି ପଢିଛନ୍ତି ଏବଂ ଟେଟ ପରୀକ୍ଷା ମଧ୍ୟ ପାସ୍ କରିଛନ୍ତି। ସେ ବର୍ତ୍ତମାନ ଏକ ଇଣ୍ଟର କଲେଜରେ ଅଧ୍ୟାପିକା ଅଛନ୍ତି।