୬ ରାଜ୍ୟରେ ଭୟ ବଢ଼ୁଛି, ଲୋକଙ୍କୁ ବେପରୁଆ ନହେବାକୁ କହିଲେ ହର୍ଷବର୍ଦ୍ଧନ

ଏହା ଅବହେଳା କରିବାର ସମୟ ନୁହେଁ

ନୂଆଦିଲ୍ଲୀ : ଦେଶରେ ଲଗାତାର ସଂକ୍ରମଣ ବଢ଼ି ଚାଲିଥିବା ବିଶେଷ କରି ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସତର୍କ କରାଇଛନ୍ତି। ଜାତୀୟ ସଂକ୍ରମଣ ହାରଠାରୁ ଏହି ୬ ରାଜ୍ୟର ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିଛି ଏବଂ ସକ୍ରିୟ ମାମଲା ମଧ୍ୟ ବଢ଼ିଛି। ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ ମୃତ୍ୟୁହାର ବହୁତ କମ୍‌ ରହିଛି ଏବଂ ଟିକା ବି ଅଛି। କିନ୍ତୁ ଏହାସତ୍ତ୍ବେ ବି କରୋନାକୁ ନେଇ ବେପୁଆ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଲୋକଙ୍କ ବେପରୁଆ ଏବଂ ଖାମଖିଆଲ କାର୍ଯ୍ୟ ଯୋଗୁଁ ୬ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଛି।

ତେଣୁ କରୋନାକୁ ନିୟନ୍ତ୍ରଣ କରିବାପାଇଁ ସମସ୍ତେ କରୋନା ନିୟମାବଳି ମାନିବାକୁ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି। ସମସ୍ତେ ପୁଣି ପୂର୍ବପରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ଅବଲମ୍ବନ କରିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ରକୁ ପଠାଯାଇଥିବା ବିଶେଷଜ୍ଞ ଟିମ୍‌ଙ୍କ ମତ ଅନୁଯାୟୀ ମହାରାଷ୍ଟ୍ରରେ କରୋନା ନିୟମାବଳିର ବ୍ୟାପକ ଉଲ୍ଲଂଘନ ହୋଇଛି। ମହାରାଷ୍ଟ୍ରରେ ଏବେ ଦୈନିକ ସଂକ୍ରମଣ ଦୁଇ ‌ଦିନ ହେଲା ୧୫ ହଜାରରୁ ଅଧିକ ରହିଥିବା ବେଳେ ସକ୍ରିୟ ମାମଲା ୭୪ ହଜାର ଟପି ଯାଇଛି। ପଂଜାବରେ ଏବେ ସକ୍ରିୟ ମାମଲା ପ୍ରାୟ ୮ ହଜାର ରହିଛି। ଦିଲ୍ଲୀରେ ଆଜି ମଧ୍ୟ ୪ ଶହରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଏ ଦିଗରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର