ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳର ସାଂସଦ ହରସିମ୍ରତ କୌର ବାଦଲ ମଙ୍ଗଳବାର ଲୋକସଭାରେ ଭାଷଣ ଦେବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ମଦ ପିଇ ଗାଡ଼ି ଚଳାଇବା ଦୋଷାବହ ହୋଇଥିବା ବେଳେ ସେ ମଦ ପିଇ ରାଜ୍ୟ ଚଳାଉଛନ୍ତି। ପଞ୍ଜାବରେ ବେଆଇନ ଡ୍ରଗ୍ ଓ ମଦ କାରବାର ବୃଦ୍ଧି ପାଇବା ଉପରେ ଶ୍ରୀମତୀ ବାଦଲ କହିଛନ୍ତି - ସାରା ଗୃହ ଜାଣିଛି ଯେ କିଛି ମାସ ତଳେ ମାନ୍ ସାଂସଦ ଥିବା ବେଳେ ଏହି ଗୃହରେ ସେହି କୋଣରେ ବସୁଥିଲେ। ତାଙ୍କ ମୁହଁରୁ ମଦଗନ୍ଧ ବାହାରୁଥିବାରୁ ତାଙ୍କ ପାଖରେ କେହି ବସିବାକୁ ରାଜି ହେଉ ନ ଥିଲେ। ମାତାଲ ଅବସ୍ଥାରେ ଯିଏ ଦିନ ୧୧ଟାରେ ଗୃହକୁ ଆସୁଥିଲେ ସେ ଏବେ ରାଜ୍ୟ ଚଳାଉଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଏପରି ହେବେ ତେବେ କଳ୍ପନା କରନ୍ତୁ ରାଜ୍ୟର ଅବସ୍ଥା କ’ଣ ହେବ। ‘ମଦ ପିଇ ଗାଡ଼ି ଚଳାଅ ନାହିଁ’ ବୋଲି ରାସ୍ତାରେ ଲେଖାଥିବା ଆମେ ଦେଖିଛୁ। ଏବେ ଜଣେ ମୁଖ୍ୟମନ୍ତ୍ରୀ ମଦ ପିଇ ରାଜ୍ୟ ଚଳାଉଛନ୍ତି।
ମହିଳା ସାଂସଦ ଜଣକ ଏହା କହୁଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ସାଂସଦମାନେ ହସୁଥିଲେ ଏବଂ ବାଚସ୍ପତି ଓମ୍ ବିର୍ଲା ମୁରୁକିହସା ଦେଉଥିବା ଦେଖିବାକୁ ମିଳିଥିଲା। କିଛିଦିନ ତଳେ ମାନ୍ ମଦ ପିଇ ବିମାନରେ ଚଢ଼ିଥିବା ବେଳେ ଲୁଫଥାନ୍ସା ଏୟାରଲାଇନ ତାଙ୍କୁ ତଳକୁ ଓହ୍ଲାଇ ଦେଇଥିଲା, କାରଣ ସେ ଭଲକରି ଠିଆ ବି ହୋଇପାରୁ ନ ଥିଲେ। ଏହାଦ୍ବାରା ସେ ରାଜ୍ୟକୁ ବଦନାମ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ବିମାନ ଚଳାଚଳ ମନ୍ତ୍ରୀ ଏହାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ତାହାକୁ ସେ ଶୀତଳଭଣ୍ଡାରରେ ରଖିଦେଇଛନ୍ତି। ବର୍ତ୍ତମାନ ଆମ୍ ଆଦ୍ମୀ ସରକାରରେ ଏହି ମଦ୍ୟପ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ନିଶା ମାଫିଆଙ୍କ ରାଜଧାନୀରେ ପରିଣତ କରିଦେଲେଣି ବୋଲି ବାଦଲ ଅଭିଯୋଗ କରିଥିଲେ।