ହିସାର (ହରିୟାଣା) : ହରିୟାଣାର ଜଣେ ଯୁବକ କରିଥିବା କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ରାତି ସମୟରେ ହଠାତ୍ ରାଷ୍ଟ୍ରପତି ଭବନର କଣ୍ଟ୍ରୋଲ ରୁମ୍ର ଫୋନ ରିଙ୍ଗ୍ ହୋଇଥିଲା । ଫୋନ ଧରିବା ପରେ ଜଣେ ଯୁବକ ଆମ ଘର ପାଖରେ ବୋମା ତିଆରି ହେଉଛି ବୋଲି ସୂଚନା ଦେଇ ଫୋନ ରଖି ଦେଇଥିଲା । କିନ୍ତୁ ପରେ ଖବରଟି ମିଛ ବୋଲି ଜଣା ପଡ଼ିଥିଲା । ଏବେ ଏଭଳି ମିଛ ସୂଚନା ଦେବା ପାଇଁ ହିସାର ପୁଲିସ ଯୁବକଙ୍କୁ ହେପାଜତକୁ ନେଇଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/12/download-87-300x168.jpg)
ପୁଲିସ ଦେଇଥିବା ସୂଚନା ମୁତାବକ,ହିସାରର ସୂର୍ଯ୍ୟନଗରରେ ରହୁଥିବା ଜଣେ ଯୁବକ ରାଷ୍ଟ୍ରପତି ଭବନର କଣ୍ଟ୍ରୋଲ ରୁମ୍କୁ କଲ୍ କରି,ମୁଁ ସୂର୍ଯ୍ୟ ନଗରର ଶିବ କଲୋନୀରେ ରହୁଛି । ଆମ ପଡ଼ୋଶୀ ଘରେ ବୋମା ତିଆରି କରାଯାଉଛି ବୋଲି କହି ଫୋନ ରଖି ଦେଇଥିଲେ । ଏହି ଖବର ପାଇ ରାଷ୍ଟ୍ରପତି ଭବନର କଣ୍ଟ୍ରୋଲ ରୁମ୍ରୁ ହିସାର କଣ୍ଟ୍ରୋଲ ରୁମ୍କୁ ସୂଚନା ଦିଆ ଯାଇଥିଲା । ପରେ ସୂର୍ଯ୍ୟ ନଗର ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ଫୋନ କରିଥିବା ଯୁବକଙ୍କ ଘରେ ଯାଇ ପହଞ୍ଚିଥିଲା ପୁଲିସ । କିନ୍ତୁ ସେଠାକୁ ଯିବା ପରେ ଫୋନ କରିଥିବା ଯୁବକଙ୍କ ମାନସିକ ଅବସ୍ଥା ଖରାପ ଥିବା ଜଣା ପଡ଼ିଥିଲା । ଯାହା ପାଇଁ ସେ ରାଷ୍ଟ୍ରପତି ଭବନର କଣ୍ଟ୍ରୋଲ ରୁମ୍କୁ କଲ୍ କରି ମିଛ ଖବର ଦେଇଥିଲେ । ଏବେ ସତ ଜାଣିବା ପାଇଁ ଯୁବକଙ୍କ ଡ଼ାକ୍ତରୀ ପରୀକ୍ଷା କରାଯିବ ।