ଚଣ୍ଡୀଗଡ଼: ନିର୍ବାଚନ କମିସନ ଆଜି ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ଅକ୍ଟୋବର ୧ ତାରିଖ ବଦଳରେ  ହରିୟାଣାରେ ଅକ୍ଟୋବର ୫ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ଅକ୍ଟୋବର ୪ ତାରିଖ ବଦଳରେ ଅକ୍ଟୋବର ୮ ତାରିଖରେ ଭୋଟ୍‌ ଗଣତି ହେବ। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀରରେ ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ ହୋଇନଥିଲେ ମଧ୍ୟ ଅକ୍ଟୋବର ୪ ବଦଳରେ  ଅକ୍ଟୋବର ୮ ତାରିଖରେ ହିଁ  ଭୋଟ୍‌ ଗଣତି ହେବ ବୋଲି  ନିର୍ବାଚନ କମିସନ ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି।   ବିଜ୍ଞପ୍ତିରେ କୁହାଯାଇଛି ‌ଯେ ବିଷ୍ଣୋଇ ସମ୍ପ୍ରଦାୟର ଭୋଟିଂ ଅଧିକାର ଏବଂ ପରମ୍ପରାକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ବିଷ୍ଣୋଇ ସମ୍ପ୍ରଦାୟ ସେମାନଙ୍କ ଗୁରୁ ଜମ୍ଭେଶ୍ବରଙ୍କ ସମ୍ମାନରେ ‌ଆସୋଜ ଅମାବାସ୍ୟା ଉତ୍ସବ ପାଳନ କରନ୍ତି। ଏହି ଉତ୍ସବରେ ଯୋଗ ଦେବାପାଇଁ ବିଷ୍ଣୋଇ ସମ୍ପ୍ରଦାୟର ଅନେକ ଲୋକ ହରିୟାଣାରୁ ରାଜସ୍ଥାନକୁ ଯାଆନ୍ତି। ତେଣୁ ଅକ୍ଟୋବର ୧ ତାରିଖରେ ଭୋଟ୍‌ ହେଲେ ସେମାନଙ୍କ  ଭୋଟ୍‌ ଦେବାରେ ବାଧା ଉପୁଯିବ ଏବଂ ଭୋଟ୍‌ ପ୍ରତିଶତ ହାର କମିଯିବ। 

ନିର୍ବାଚନ କମିସନ କହିଛନ୍ତି ଏ ସଂକ୍ରାନ୍ତରେ ଜାତୀୟ ରାଜନୈତିକ ଦଳ, ରାଜ୍ୟ ରାଜନୈତିକ ଦଳ ଏବଂ ସର୍ବ ଭାରତୀୟ ବିଷ୍ଣୋଇ ମହାସଭାର ମତାମତ ଗ୍ରହଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆସୋଜ ଅମାବାସ୍ୟ ଅକ୍ଟୋବର ୨ ତାରିଖରେ ପଡ଼ୁଛି ଏବଂ ସିର୍ସା, ଫତେହାବାଦ ଏବଂ ହିସାରରେ ରହୁଥିବା ହଜାର ହଜାର ବିଷ୍ଣୋଇ ପରିବାର ଏହି ଦିନ ରାଜସ୍ଥାନକୁ ଯିବେ। ଫଳରେ ସେମାନେ ଭୋଟ୍‌ ଦେଇପାରିବେ ନାହିଁ।  ଉଲ୍ଲେଖଯୋଗ୍ୟ,  ପୂର୍ବରୁ ବିଜେପି ମଧ୍ୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିଲା। ଭୋଟ୍‌ ପୂର୍ବଦିନ ଏବଂ ପରଦିନ ଛୁଟି ଥିବାରୁ ଭୋଟ ପ୍ରତିଶତ ହାର କମିଯିବ କହି ନିର୍ବାଚନ ଘୁଞ୍ଚାଇବାକୁ ବିଜେପି କମିସନଙ୍କ ଦ୍ବାରସ୍ଥ ହୋଇଥିଲା।