ହରିୟାନା ବୋର୍ଡ ପରୀକ୍ଷାରେ କପି: ପେଷ୍ଟ୍‍ବୋର୍ଡରେ ମୋବାଇଲ୍‌; ପଗଡ଼ିରେ ବ୍ଲୁ’ଟୁଥ୍‌

ରୋହତକ୍‌: ହରିୟାଣା ବୋର୍ଡ ପରୀକ୍ଷାରେ କପି କରିବା ଏକ ମାମୁଲି କଥା। ପିଲାଙ୍କୁ କପି ଯୋଗାଇବାକୁ ବନ୍ଧୁବାନ୍ଧବ ଓ ପରିବାର ଲୋକେ ବହୁତଳ ବିଶିଷ୍ଟ କୋଠାବାଡ଼ି ଚଢ଼ନ୍ତି।

ଏଥର କପି ରୋକିବାକୁ ପହରା ବ୍ୟବସ୍ଥା କଠୋର କରାଯିବାରୁ ପରୀକ୍ଷାର୍ଥୀମାନେ ହାଇଟେକ୍‌ ପଦ୍ଧତିକୁ ଆପଣାଇଛନ୍ତି। ଏମିତି ବାଗରେ କପି କରୁଥିବା କେତେକ ପରୀକ୍ଷାର୍ଥୀଙ୍କୁ ଅଧିକାରୀମାନେ ଧରିଛନ୍ତି। ଶୁକ୍ରବାର ଦିନ ଅନୁଷ୍ଠିତ ସାମାଜିକ ବିଜ୍ଞାନ ବିଷୟରେ କପି କରି ଧରାପଡ଼ିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଣୀ ପିଲା ପାଖରୁ ମିଳିଛି ଗୋଟାଏ ମୋବାଇଲ୍‌ ଫୋନ୍‌ ଏବଂ ବ୍ଲୁ’ଟୁଥ୍‌।

ବୋର୍ଡର ସଚିବ ଧୀରେନ୍ଦ୍ର ଖାଡ଼ଗତାଙ୍କ ନେତୃତ୍ୱରେ ଏକ ଫ୍ଲାଇଙ୍ଗ୍‌ ଟିମ୍‌ ରୋହତକ୍‌ର ଫର୍ମାନା ଗାଁ’ର ଏକ ପରୀକ୍ଷା କେନ୍ଦ୍ରରୁ ଜଣେ ଛାତ୍ରଙ୍କୁ ଧରିଛନ୍ତି। ସେ ଯେଉଁ ପେଷ୍ଟ୍‍ବୋର୍ଡ ଉପରେ ଖାତା ରଖି ଲେଖୁଥିଲା ତାହା ଥିଲା ସାଧାରଣ ପେଷ୍ଟ୍‍ବୋର୍ଡ ଠାରୁ ମୋଟା ଥିବାରୁ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ଙ୍କର ସନ୍ଦେହ ହୋଇଥିଲା। ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ଛାତ୍ରଜଣକ ସେଥିରେ ସିମ୍‌କାର୍ଡ ଥିବା ମୋବାଇଲ୍‌ ଫୋନ୍‌ଟିଏ ରଖିଛନ୍ତି।

କର୍ଣ୍ଣାଲ୍‌ ଠାରେ ଆଉ ଏକ ଘଟଣାରେ, ବୋର୍ଡ ପରୀକ୍ଷାରେ ଦେଉଥିବା ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ପଗଡ଼ିରୁ ମିଳିଲା ବ୍ଲୁ’ଟୁଥ୍‌। ପ୍ରଥମରୁ ପରୀକ୍ଷା ପରିଚାଳକମାନଙ୍କର ତାଙ୍କଠାରେ ସନ୍ଦେହ ହୋଇଥିଲା, କିନ୍ତୁ କୌଣସି ପଦକ୍ଷେପ ନେଇ ନ ଥିଲେ। ପିଲାକୁ ପଗଡ଼ି ଖୋଲିବାକୁ କହିଲେ ତାହା ଧାର୍ମିକ ମାମଲା ହେବାର ଆଶଙ୍କା କରୁଥିଲେ ସେମାନେ। କିନ୍ତୁ, ପରୀକ୍ଷା ଶେଷ ଆଡ଼କୁ ଯେତେବେଳେ କଥାବାର୍ତ୍ତା କରିବାକୁ ବ୍ଲୁ’ଟୁଥ୍‌ଟିକୁ ଏପଟ ସେପଟ କରିବାବେଳେ ସେ ଧରାପଡ଼ିଥିଲେ।

ମଫସଲ ଅଞ୍ଚଳର ପିଲାମାନେ କପି କରିବା ପାଇଁ ଏ ଭଳି ଅଭିନବ ପନ୍ଥା ଗ୍ରହଣ କରୁଥିବା ଦେଖି ଆଚମ୍ବିତ ହୋଇ ଯାଇଛନ୍ତି ବୋର୍ଡର ସଭାପତି। ତଥାପି ସେ ସବୁର ମୁକାବିଲା କରିବାକୁ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି।

ସେ କହନ୍ତି: ପଢ଼ା ଠାରୁ କପି କରିବାକୁ ଅଭିନବ ଯୋଜନା କରିବାରେ କେତେକ ଛାତ୍ର ସମୟ ବିନିଯୋଗ କରୁଛନ୍ତି। ଏ ଭଳି ଛାତ୍ରଛାତ୍ରୀଙ୍କୁ ମୁକାବିଲା କରିବାକୁ ବୋର୍ଡର ଯଥେଷ୍ଟ ଲୋକ ଅଛନ୍ତି। ନିକଟରେ କପି କରୁଥିବା ପିଲାଙ୍କୁ ଧରିବାକୁ ଆମେ ପରୀକ୍ଷା ହଲ୍‌ରେ କ୍ୟାମେରା ଲୁଚାଇ ରଖିଥିଲୁ।

ଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୪୫୨ ଜଣ କପି କରି ଧରା ପଡ଼ିଲେଣି।

ସମ୍ବନ୍ଧିତ ଖବର