ଅମ୍ବାଲା: ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ସମେତ ଉତ୍ତର ଭାରତର ରାଜ୍ୟରେ ଏଥର ମୌସୁମୀ ବର୍ଷା ରେକର୍ଡ ଭାଙ୍ଗୁଛି। ହରିୟାଣାରେ ପ୍ରବଳ ବର୍ଷା ହେତୁ ନଦୀରେ ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଭଳି ପରିସ୍ଥିତିରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବାରେ ଲାଗିଛି। କିଛି କିଛି ସ୍ଥାନରେ ହଠାତ୍ ନଦୀ ପାଣି ଆସିଯିବାରୁ ଗାଡ଼ି ଭାସିଯିବା ସହ ଘର ଭାଙ୍ଗିଯାଉଥିବା ଦେଖିବାକୁ ମିଳିଛି। ମୌସୁମୀ ବର୍ଷା କରୁଥିବା ତାଣ୍ଡବର ଅନେକ ଭିଡିଓ ଓ ଫଟୋ ସାମ୍ନାକୁ ଆସିସାରିଥିବା ବେଳେ ଏ‌ବେ ନଦୀ ପାଣିରେ ଏକ ବସ ଭାସିଯାଇଥିବାର ଖବର ମିଳିଛି।

Advertisment

କୁହାଯାଉଛି ଯେ, ଅମ୍ବାଲା-ଯମୁନାନଗର ରାସ୍ତାରେ ୟୁପିରୁ ହିମାଚଳ ଅଭିମୁଖେ ଯାଉଥିବା ବସ୍ ନଦୀ ପାଣିର ସୁଅରେ ଓଲଟି ପଡ଼ି ଭାସିବାକୁ ଲାଗିଥିଲା। ଏ ବିଷୟରେ ସୂଚନା ପାଇବା ପରେ ମୁଲାନା ପୁଲିସ ଷ୍ଟେସନର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୨୭ଜଣକୁ ଉଦ୍ଧାର କରିଥିବା ଜଣାପଡ଼ିଛି। କ୍ରେନ ସାହାଯ୍ୟରେ ୨୭ଜଣକୁ ଉଦ୍ଧାର କରାଯାଇଥିବା କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ମାରକଣ୍ଡା ନଦୀର ଜଳସ୍ତର ହଠାତ ବଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ମୁଲାନା ପୁଲିସ ଷ୍ଟେସନର ଏସଏଚଓ ସୁରେନ୍ଦ୍ର ସିଂ କହିଛନ୍ତି ଯେ ରାଜୁ ଢ଼ାବା କାଲପି ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ମିଳିବା ପରେ ଏକ କ୍ରେନ୍ ସାହାଯ୍ୟରେ ବସ୍ ଏବଂ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ୨୭ଜଣକ ମଧ୍ୟରେ ଶିଶୁ ଏବଂ ମହିଳା ଅନ୍ତର୍ଭୁକ୍ତ। ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।