ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କଶ୍ମୀର କନ୍ୟା ବୟାନକୁ ନେଇ ବିବାଦ

ଖଟ୍ଟରଙ୍କଠାରୁ ଜବାବ ମଗାଯିବ: ମହିଳା କମିସନ, ରାହୁଲ କହିଲେ କୁତ୍ସିତ ବୟାନ

ଚଣ୍ଡିଗଡ଼ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ କଶ୍ମୀର କନ୍ୟା ବୟାନକୁ ନେଇ ଆଜି ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଖଟ୍ଟର ଆଜି ଫତେହବାଦ୍‌ରେ ମହର୍ଷି ଭାଗିରଥ ଜୟନ୍ତୀ ସମାରୋହର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ‘ବେଟି ବଚାଓ ବେଟି ପଢ଼ାଓ’ର ସଫଳତା ନେଇ ନିଜର ମନ୍ତବ୍ୟ ରଖିବା ଅବସରରେ କହିଥିଲେ, ଲୋକମାନେ ଏବେ କହୁଛନ୍ତି ଧାରା ୩୭୦ ଉଚ୍ଛେଦ ପରେ ସେମାନେ ବିବାହ ପାଇଁ କଶ୍ମୀରରୁ ଝିଅ ଆଣିବେ। ଆମ ମନ୍ତ୍ରୀ ଓ ପି ଧାନ୍‌କର କହୁଛନ୍ତି, ସେ ବିହାରରୁ ବୋହୂ ଆଣିବେ। କିନ୍ତୁ ଆଜିକାଲି ଲୋକେ କହୁଛନ୍ତି ‌ଯେ ଏବେ କଶ୍ମୀର ପାଇଁ ରାସ୍ତା ସଫା ହୋଇଗଲା ଏବଂ ସେମାନେ ବିବାହ ପାଇଁ କଶ୍ମୀରରୁ ଝିଅ ଆଣିବେ। ଖଟ୍ଟରଙ୍କର ଏହି ବୟାନକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। ଏଭଳି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହେବା ଉଚିତ୍‌ ବୋଲି ଦିଲ୍ଲୀ ମହିଳା କମିସନ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟସଭା ସାଂସଦ ବିଜୟ ଗୋଏଲ୍‌ଙ୍କ ବାସଭବନ ବାହାରେ କଶ୍ମୀର ଝିଅଙ୍କୁ ନେଇ ଏକ ହୋର୍ଡିଂ ଲାଗିଥିବାରୁ ତାଙ୍କ ବିରୋଧରେ ମଧ୍ୟ ଏକ ଏଫ୍‌ଆଇଆର ରୁଜୁ କରିବାପାଇଁ ଦିଲ୍ଲୀ ମହିଳା କମିସନ ପକ୍ଷରୁ ଦାବି ହୋଇଛି। ସେହିପରି ଜାତୀୟ ମହିଳା କମିସନ୍‌ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି, ଖଟ୍ଟରଙ୍କର ଏଭଳି ଟିପ୍ପଣୀ ପାଇଁ ତାଙ୍କଠାରୁ ଜବାବ ମଗାଯିବ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଖଟ୍ଟରଙ୍କର ଏହି ଟିପ୍ପଣୀକୁ ବିରୋଧ କରି କହିଛନ୍ତି, କଶ୍ମୀର ମହିଳାଙ୍କ ବିରୋଧରେ ଖଟ୍ଟର ଯେଭଳି ଟିପ୍ପଣୀ ରଖିଛନ୍ତି ତାହା ଅତ୍ୟନ୍ତ କୁତ୍ସିତ।

ସମ୍ବନ୍ଧିତ ଖବର