ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ସମସ୍ତ ଏକ୍ଜିଟ୍ ପୋଲ୍ର ଆକଳନ ଓ ବିରୋଧୀ ଦଳଙ୍କ ଦାବି ଭୁଲ ପ୍ରମାଣିତ ହୋଇଥିଲା। ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ବିଜୟ ଲାଭ କରି ତୃତୀୟ ଥର ନିମନ୍ତେ ସରକାର ଗଠନ କରିଛି। ଏହି ନିର୍ବାଚନରେ ଜାଲିଆତି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା। ଅନୁଧ୍ୟାନ କରିବାକୁ ମୁଖ୍ୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିଲା। କଂଗ୍ରେସର ଅଭିଯୋଗକୁ ‘ନିରାଧାର, ତ୍ରୁଟିପୂର୍ଣ୍ଣ ଓ ତଥ୍ୟବିହୀନ ଅଭିଯୋଗ’ ବୋଲି ଦର୍ଶାଇ କମିସନ ଖାରଜ କରିଦେଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ୍ ଖଡ଼ଗେଙ୍କ ନିକଟକୁ ଲେଖିଥିବା ଚିଠିରେ ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି, ପ୍ରତ୍ୟେକ ନିର୍ବାଚନ ପରେ ଏଭଳି ଆଧାରହୀନ ଅଭିଯୋଗ କରିବାରୁ ଦୂରେଇ ରୁହନ୍ତୁ। ନିର୍ଦ୍ଦିଷ୍ଟ ପ୍ରମାଣ ଉପସ୍ଥାପିତ କରିବା ବଦଳରେ ସନ୍ଦେହ କରିବା ଉଚିତ ନୁହେଁ। ଏଭଳି ଆଭିମୁଖ୍ୟକୁ ହଟାଇବାକୁ ଦଳ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍, ନିର୍ବାଚନ ଓ ଭୋଟଗଣନା ଭଳି ସମ୍ବେଦନଶୀଳ ସମୟରେ ଏଭଳି ଦାୟିତ୍ବହୀନ ଅଭିଯୋଗ ଦ୍ବାରା ଦେଶରେ ଜନ ଅସନ୍ତୋଷ, ଦଙ୍ଗା ଓ ବିଶୃଙ୍ଖଳା ସୃଷ୍ଟି ହେବା ସମ୍ଭାବନା ରହିଛି। ଗତ ଦିନରେ କଂଗ୍ରେସ ପକ୍ଷରୁ ଏଭଳି କରାଯାଇଥିବା ୫ଟି ଅଭିଯୋଗକୁ ଉଲ୍ଲେଖ କରି ଏକ ଜାତୀୟ ଦଳ ଭାବେ ଅଭିଜ୍ଞ କଂଗ୍ରେସ ଦଳ ନ୍ୟାୟୋଚିତ ଆଚରଣ କରିବାକୁ ହେବ ବୋଲି ନିର୍ବାଚନ କମିସନ କହିଛନ୍ତି।
ସୂଚନାଯୋଗ୍ୟ, ହରିୟାଣାର ୨୬ଟି ବିଧାନସଭା ଆସନରେ ଭୋଟ୍ ଗଣତିରେ ଜାଲିଆତି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। ରିଟର୍ନିଂ ଅଧିକାରୀଙ୍କ ଦ୍ବାରା ଓ କଂଗ୍ରେସ ଏଜେଣ୍ଟ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଉକ୍ତ ବିଧାନସଭା ଆସନର ଇଭିଏମ୍ ମେସିନ ଓ ମତଦାନ କେନ୍ଦ୍ରର ଭିଡିଓର ବିସ୍ତୃତ ଯାଞ୍ଚ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ରିପୋର୍ଟ ଆଧାରରେ ଆଜି କମିସନ କଂଗ୍ରେସ ଦଳ ନିକଟକୁ ଚିଠିଲେଖି ଏଭଳି ଦାୟିତ୍ବହୀନ ଓ ପ୍ରମାଣରହିତ ଅଭିଯୋଗ ଠାରୁ ଦୂରେଇ
ରୁହନ୍ତୁ ବୋଲି ତାଗିଦ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/collage-election.jpg)