ରାସ୍ତାରେ ଖାଲଖମା ଥିଲେ ସରକାରଙ୍କୁ ଜଣାଇଲେ ମିଳିବ ଟଙ୍କା

ଫଟୋ ଉଠାଇ ପଠାନ୍ତୁ-ଆକାଉଣ୍ଟକୁ ଆସିଯିବ ଟଙ୍କା

ନୂଆଦିଲ୍ଲୀ: ଆପଣଙ୍କ ଅଞ୍ଚଳରେ ଥିବା ରାସ୍ତାରେ ଖାଲଖମା ହୋଇଛି କି, ଯଦି ହଁ ତେବେ ସରକାରଙ୍କୁ ଜଣାନ୍ତୁ ଓ ୧୦୦ ଟଙ୍କା ପୁରସ୍କାର ଭାବେ ପାଆନ୍ତୁ | ତେବେ ଓଡ଼ିଶାରେ ନୁହେଁ ବରଂ ହରିୟାଣା ସରକାର ଏଭଳି ଏକ ଯୋଜନାର ଆରମ୍ଭ କରିଛନ୍ତି | ରାଜ୍ୟ ସରକାର ରାସ୍ତାରେ ଥିବା ଗାତ ବାବଦରେ ଜାଣିବା ପାଇଁ ‘ହରପଥ’ ନାମକ ମୋବାଇଲ ଆପଟିଏ ଆରମ୍ଭ କରିଛନ୍ତି | ଏହି ଆପ ମାଧ୍ୟମରେ ଯଦି କେହି ସରକାରଙ୍କୁ ରାସ୍ତାରେ ଖାଲଖମା ବାବଦରେ ସୂଚନା ଦିଅନ୍ତି ପ୍ରୋତ୍ସାହନ ଭାବରେ ଉକ୍ତ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଦିଆଯିବ | ରାଜ୍ୟ ସରକାରଙ୍କ ନୂଆ ଘୋଷଣା ମୁତାବକ ଏହି ଯୋଜନା ଏପ୍ରିଲ ୧, ୨୦୨୦ରୁ ଲାଗୁ ହେବ |

Photo-yuva haryana

ଏହି ଯୋଜନା ମୁତାବକ ଲୋକଙ୍କୁ ଉକ୍ତ ରାସ୍ତାର ଫଟୋ ଉଠାଇ ହରପଥ ଆପ ମାଧ୍ୟମରେ ପଠାଇବାକୁ ପଡିବ | ସରକାର ଏହି ଫଟୋ ମାଧ୍ୟମରେ ଜିଓ ମ୍ୟାପିଂ କରି ରାସ୍ତାର ଚିହ୍ନଟ କରିବେ | ଏହା ପରେ ସମ୍ପୃକ୍ତ ଠିକାଦାରଙ୍କୁ ରାସ୍ତାର ମରାମତି କରିବା ପାଇଁ ୯୬ ଘଣ୍ଟାର ମହଲତ ଦେବେ | ଯଦି ଠିକାଦାର ସମୟ ସୀମା ଭିତରେ ରାସ୍ତା ମରାମତି ନ କରିପାରନ୍ତି ତେବେ ଦିନ ପିଛା ୧ ହଜାର ଟଙ୍କା ଲେଖାଏଁ ଜରିମାନା ସରକାର ସଂଗ୍ରହ କରିବେ | ଜରିମାନା ରାଶିରୁ ୧୦୦ ଟଙ୍କା ଅଭିଯୋଗକାରୀଙ୍କୁ ଦିଆଯିବ |

ମିଳିଥିବା ସୂଚନା ମୁତାବକ ଦେଶରେ ହେଉଥିବା ସଡକ ଦୁର୍ଘଟଣାର ମୁଖ୍ୟ କାରଣ ଭାବେ ଖରାପ ରାସ୍ତା ମଧ୍ୟ ଦାୟୀ ରହିଛି | ସରକାରୀ ସୂଚନା ମୁତାବକ ପ୍ରତିବର୍ଷ ପ୍ରାୟ ତିନିହଜାର ଲୋକ ଖରାପ ରାସ୍ତା ପାଇଁ ମୃତ୍ୟୁବରଣ କରୁଥିବାବେଳେ ୩୦ ହଜାର ଲୋକ ଆହତ ହୁଅନ୍ତି | ଯାହାକୁ ନେଇ ସରକାର ଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି |

ସମ୍ବନ୍ଧିତ ଖବର