ଚଣ୍ଡିଗଡ଼: ହରିୟାଣାରେ ଘରୋଇ ନିଯୁକ୍ତି କ୍ଷେତ୍ରରେ ରାଜ୍ୟବାସୀଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ଆଇନକୁ ପଂଜାବ ଓ ହରିୟାଣା ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଭଳି ସଂରକ୍ଷଣ ଅସାମ୍ବିଧାନିକ ବୋଲି ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଏହି ସଂରକ୍ଷଣ ନୀତିକୁ ଚ୍ୟାଲେଂଜ କରି ଏକାଧିକ ଆବେଦନ ହୋଇଥିବା ବେଳେ ମାସକ ତଳୁ ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲା‌ର ରାୟ ଶୁଣାଇ ହାଇକୋର୍ଟ ସରକାରଙ୍କ ସଂରକ୍ଷଣ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଘରୋଇ ଚାକିରି କ୍ଷେତ୍ରରେ ୭୫ ପ୍ରତିଶତ ସଂରକ୍ଷଣ ଆଇନ ସମ୍ବିଧାନର ନୀତିକୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ହରିୟାଣା ସରକାର ନଭେମ୍ବର ୨୦୨୦ରେ ବିଧାନସଭାରେ ଏହି ସଂରକ୍ଷଣ ବିଲ୍‌ ଗୃହୀତ କରାଇଥିଲେ ଏବଂ ରାଜ୍ୟପାଳ ଏହି ବିଲକୁ ମଂଜୁରି ଦେଇଥିଲେ।