ଦେଶର ସର୍ବାଧିକ ସଂକ୍ରମଣ ମାମଲା ଥିବା ୧୦ ରାଜ୍ୟ ତାଲିକାରେ ହରିୟାଣା, ୩ ମାସ ପୂର୍ବେ ୧୫ରୁ କମ୍‌ ଥିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଆରମ୍ଭ ସମୟରେ ହରିୟାଣାରେ ବହୁତ କମ୍‌ ସଂକ୍ରମଣ ମାମଲା ଥିଲା। ୩ ମାସ ତଳେ ହରିୟାଣା ସଂକ୍ରମଣ ମାମଲାରେ ଦେଶରେ ସବୁଠୁ ପଛରେ ଥିଲା। କିନ୍ତୁ ଏବେ ସର୍ବାଧିକ ସଂକ୍ରମଣ ଥିବା ୧୦ ରାଜ୍ୟ ତାଲିକାରେ ହରିୟାଣା ରହିଛି।

ତଥ୍ୟ ଅନୁଯାୟୀ ହରିୟାଣା ଏବେ ସର୍ବାଧିକ ସଂକ୍ରମଣ ମାମଲା ଥିବା ୧୦ ରାଜ୍ୟ ତାଲିକାରେ ନବମ ସ୍ଥାନରେ ରହିଛି। ଜୁନ୍‌ ୨୧ ସୁଦ୍ଧା ହରିୟାଣାରେ ୧୦ ହଜାର ୬୩୫ ଜଣ କରୋନା ସଂକ୍ରମିତ ‌ହୋଇଛନ୍ତି ଏବଂ ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚ ୧୫ରୁ ଜୁନ୍‌ ୧୫ ମଧ୍ୟରେ ହୋଇଥିବା କୋଭିଡ୍‌ ତଥ୍ୟ ଆକଳନରୁ ଏହା ଜଣାପଡ଼ିଛି ଯେ, ମାର୍ଚ୍ଚ ୧୫ରେ ହରିୟାଣାରେ ମାତ୍ର ୧୪ ଜଣ ସଂକ୍ରମିତ ହୋଇଥିଲେ କିନ୍ତୁ ଏହାର ଠିକ୍‌ ୩ ମାସ ପରେ ତଥା ଜୁନ୍‌ ୧୫ ବେଳକୁ ହରିୟାଣାରେ ମାମଲା ୭ ହଜାର ୭୨୨ରେ ପହଞ୍ଚିଥିଲା। ମାର୍ଚ୍ଚ ୧୫ରୁ ଏପ୍ରିଲ ମଧ୍ୟରେ ହରିୟାଣାରେ ସଂକ୍ରମଣ ବୃଦ୍ଧିହାର ପ୍ରତିଦିନ ପ୍ର‌ାୟ ୬ ଥିଲା। ୩୦ ଦିନରେ ଏଠାରେ ମାମଲା ୨୦୪କୁ ବୃଦ୍ଧି ପାଇଲା। କିନ୍ତୁ ଏପ୍ରିଲ ୧୬ରୁ ମେ’ ୧୫ ମଧ୍ୟରେ ହାରାହାରି ସଂକ୍ରମଣ ବୃଦ୍ଧିହାର ଦୈନିକ ୨୧କୁ ବୃଦ୍ଧି ପାଇଲା। ଏହି ସମୟ ମଧ୍ୟରେ ମାମଲା ୬୫୦ରେ ପହଞ୍ଚିଲା। କିନ୍ତୁ ମେ’ ୧୬ରୁ ଜୁନ୍‌ ୧୫ ମଧ୍ୟରେ ରାଜ୍ୟରେ ପ୍ରତିଦିନ ପ୍ରାୟ ୨୨୯ ନୂଆ ମାମଲା ଚିହ୍ନଟ ହେବା ସହ ୬୮୬୮ଟି ନୂଆ ମାମଲା ରେକର୍ଡ କରାଯାଇଥିଲା। ଏହି ସମୟ ମଧ୍ୟରେ ଲକ୍‌ଡାଉନ୍‌ ଉଠିଯିବାରୁ ଏବଂ ଦୋକାନ ବଜାର ଖୋଲିଯିବାରୁ ସଂକ୍ରମଣ ହଠାତ୍‌ ବଢ଼ିଗଲା। ହରିୟାଣାର ମୋଟ୍‌ ମାମଲାର ପ୍ରାୟ ୫୦ ପ୍ରତିଶତ କେବଳ ଗୁରୁଗ୍ରାମ୍‌ ଏବଂ ଫରିଦାବାଦ୍‌ରୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ହରିୟାଣାରେ ମାର୍ଚ୍ଚ ୧୫ରୁ ଏପ୍ରିଲ ୧୬ରେ ମାତ୍ର ୨ ଜଣଙ୍କ କ‌ରୋନ‌ାରେ ମୃତ୍ୟୁ ହୋଇଥିବାବେଳେ ଏପ୍ରିଲ ୧୬ରୁ ମ‌େ’ ୧୫ ମଧ୍ୟରେ ୮୭ ଏବଂ ମେ’ ୧୬ରୁ ଜୁନ୍‌ ୧୫ ମଧ୍ୟରେ ୮୭ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର