ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟି କମ୍ପାନି ରିଅଲ ଇଷ୍ଟେଟ୍ କମ୍ପାନି ଡିଏଲ୍ଏଫ୍କୁ କରିଥିବା ଜମି ହସ୍ତାନ୍ତର ମାମଲାରେ କୌଣସି ଅନିୟମିତତା ହୋଇନାହିଁ। ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ହରିୟାଣା ସରକାର କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା କହିବା ପରେ ରବର୍ଟ ଭଦ୍ରା ଫେସବୁକ୍ରେ ଏକ ଲମ୍ବା ଲେଖା ଲେଖି ପୋଷ୍ଟ କରିଛନ୍ତି।
ଆଶାର କିରଣ ଦେଖି ଖୁସି ଲାଗୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ମୁଁ ସବୁବେଳେ ସଚ୍ଚୋଟତାର ସହ କାର୍ଯ୍ୟ କରିଥାଏ ଏବଂ ଏବେ ମଧ୍ୟ କରୁଛି। କଠିନ ପରିଶ୍ରମ କରି ଆଗକୁ ବଢ଼ିଛି। କିନ୍ତୁ ବିଜେପିର ମିଥ୍ୟା ଅଭିଯୋଗ କଦାପି ବନ୍ଦ ହୋଇନାହିଁ। ତାଙ୍କ ଏଜେନ୍ସି ମୋ କମ୍ପାନି ଉପରେ ଚଢ଼ଉ କରିଛନ୍ତି। କାନ୍ଥରେ କିଛି ଲୁଚାଯାଇଥିବା ଭାବି ତାହାକୁ ଭାଙ୍ଗିଛନ୍ତି। ଦୀର୍ଘଦିନ ଧରି ସେମାନେ ମୋତେ ପଚରାଉଚରା କରିଛନ୍ତି। ଶତାଧିକ ନୋଟିସ ପଠାଇଛନ୍ତି। ବେଆଇନ ଟିକସ ଦାବି କରିଛନ୍ତି। ମୁଁ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଆସିଛି।
ନୁହ ବାସିନ୍ଦା ସୁରିନ୍ଦର ଶର୍ମାଙ୍କ ଅଭିଯୋଗ ଆଧାରରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା, ରବର୍ଟ ଭଦ୍ରା ଏବଂ ଅନ୍ୟମାନଙ୍କ ନାମରେ ଗୁରୁଗ୍ରାମରେ ୨୦୧୮ ସେପ୍ଟେମ୍ବରରେ ମାମଲା ରୁଜୁ ହୋଇଥିଲା। ତେବେ ସେହି ସମୟରେ ହୋଇଥିବା ଆର୍ଥିକ କାରବାର ସଂପର୍କିତ ରେକର୍ଡର ତଦନ୍ତ ପୁଲିସ କରୁଛି ବୋଲି କୁହାଯାଇଛି।