ବିଜେପି କାର୍ଯ୍ୟାଳୟରେ ନିୟୋଜିତ ହେଲା ମାଙ୍କଡ଼: ମାସକୁ ଦରମା ୩୦ହଜାର ଟଙ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ବିଜେପି କାର୍ଯ୍ୟାଳୟରେ ଏକ ମାଙ୍କଡ଼କୁ ନିୟୋଜିତ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ମାଙ୍କଡ଼ର ନାମ ମଙ୍ଗଲ ବୋଲି ଜଣାପଡ଼ିଛି। ମଙ୍ଗଲମାଙ୍କଡ଼ର ନଜର ଖୁବ ତୀକ୍ଷ୍ମ ବୋଲି କୁହାଯାଉଛି। ମଙ୍ଗଲକୁ ସ୍ବତନ୍ତ ଭାବେ ହରିୟାଣାରୁ ଅଣାଯାଇଛି। ଏହି ମାଙ୍କଡ଼ର ବିଶେଷତ୍ବ ହେଉଛି ତାର ମାଲିକ ଯେଉଁ ଆଦେଶ ଦେବେ ତାହାକୁ ସେ ସଙ୍ଗେସଙ୍ଗେ କରି ଦେଖାଇଥ‌ାଏ।

ବସ୍ତି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ସାଂସଦ ଓ ପ୍ରାର୍ଥୀ ହରିଶ ଦ୍ବିବେଦୀ ମାଲବୀୟ ରୋଡରେ ଅରବିନ୍ଦ ପାଲଙ୍କ କ୍ୟାମ୍ପସରେ ନିର୍ବାଚନ କାର୍ଯ୍ୟାଳୟ ଖୋଲିଛନ୍ତି। ଏହି କାର୍ଯ୍ୟାଳୟରେ ଭାଜପା ନେତାଙ୍କ ଯିବା ଆସିବା ଲାଗିଥାଏ। କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଭୋଜନର ବି ବ୍ୟବସ୍ଥା କରାଯାଇଥାଏ। ଏହି ସମୟରେ ପାତି ମାଙ୍କଡ଼ଙ୍କ କାର୍ଯ୍ୟାଳୟ ପରିସରରେ ଉତପାତ ଆରମ୍ଭ ହୋଇଯାଇଥାଏ।

ଦିନକୁ ଦିନ ମାଙ୍କଡ଼ଙ୍କ ଆତଙ୍କ ହେତୁ ଲୋକ ବିଜେପି କାର୍ଯ୍ୟାଳୟକୁ ଆସିବା ବନ୍ଦ କରି ଦେଇଥିଲେ। ଏଭଳି ପରିସ୍ଥିତିରେ କେହି ଜଣେ ମଙ୍ଗଲ ମାଙ୍କଡ଼ ବିଷୟରେ ବିଜେପି ନେତାଙ୍କୁ ସୂଚନା ଦେଇଥିଲେ।

ଏହାପରେ ହରିୟାଣାରୁ ମଙ୍ଗଲକୁ ସ୍ବତନ୍ତ୍ର ଭାବେ ଡକାଯାଇ କାର୍ଯ୍ୟାଳୟର ସୁରକ୍ଷା ଦାୟିତ୍ବରେ ତାକୁ ନିୟୋଜିତ କରାଯାଇଛି। ଏଥିପାଇଁ ମଙ୍ଗଲକୁ ପ୍ରତିଦିନ ଏକହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଥାଏ। ଅର୍ଥ‌ାତ ମାଙ୍କଡ଼ ମଙ୍ଗଲର ମାସକୁ ଦରମା ୩୦ହଜାର ଟଙ୍କା ରହିଛି। ନିର୍ବାଚନ ଶେଷ ହେବାପରେ ମଙ୍ଗଲ ପୁଣି ହରିୟାଣା ଚାଲିଯିବ।

ବିଜେପି କାର୍ଯ୍ୟାଳୟରେ ନିୟୋଜିତ ହେବା ପୂର୍ବରୁ ମଙ୍ଗଲ ଅଯୋଧ୍ୟା ରାମମନ୍ଦିର ପରିସରରେ କିଛିଦିନ ପାତିମାଙ୍କଡ଼ ତଡ଼ିବା କାମ କରିଥିଲା। ଯେଉଁଥିପାଇଁ ତାକୁ ୧୦ହଜାର ଟଙ୍କା ବି ମିଳିଥିଲା। ମଙ୍ଗଲଙ୍କ ମାଲିକ କହନ୍ତି, ‘ମଙ୍ଗଲ ହେଉଛି ମୋ ଜୀବନ। ସେ ମୋ ସହିତ ଗତ ୫ବର୍ଷ ଧରି ରହିଛି।’

ସମ୍ବନ୍ଧିତ ଖବର