ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ନେଇ ପାକ୍ ସେନାର ବୁଦ୍ଧି ହଜି ଯାଇଛି, କ’ଣ କରିବ କିଛି ବୁଝିବଚାରି ପାରୁନାହିଁ। ଏହି କାରଣରୁ ପାକିସ୍ତାନୀ ସେନା କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଲାଗିଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ମଇ ୭ ତାରିଖରେ ଜମ୍ମୁର ପୁଞ୍ଚରେ ପାକିସ୍ତାନର ଗୁଳିଗୋଳାମାଡ଼ରେ ହରିୟାଣାର ପଲୱାଲର ପୁଅ ଲାନ୍ସ ନାୟକ ଦିନେଶ କୁମାର ଶର୍ମା ସହିଦ ହୋଇଯାଇଛନ୍ତି। ତାଙ୍କ ସହିଦ ହେବାର ଖବର ପାଇବା ମାତ୍ରେ ଗାଁରେ ଶୋକରଛାୟା ଖେଳି ଯାଇଛି। ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ଦିନେଶ କୁମାରଙ୍କୁ ମନେ ପକାଇ କାନ୍ଦିକାନ୍ଦି ଝୁରି ହେଉଛନ୍ତି।
ସହିଦ ଦିନେଶ କୁମାରଙ୍କ ପତ୍ନୀ ସୀମା କାନ୍ଦିକାନ୍ଦି କହିଛନ୍ତି, ‘ମୁଁ ଗତକାଲି ରାତିରେ ସ୍ବାମୀଙ୍କ ସହ କଥା ହୋଇଥିଲି। କାମ ଥିବାରୁ ସେ ଫୋନ ରଖି ଦେଇଥିଲେ । ସେ ମୋତେ ଦିନ ୧୨ଟାରେ ଫୋନ୍ କରି କଥା ହେବେ ବୋଲି କହିଥିଲେ। ମୁଁ ସାରାଦିନ ତାଙ୍କ ଫୋନକୁ ଅପେକ୍ଷା କରିଥିଲି। କିନ୍ତୁ ତାଙ୍କଆଡୁ ମୋ ପାଖକୁ କୌଣସି ଫୋନ୍ ଆସି ନଥିଲା। ସେ ମୋତେ ଛାଡ଼ି ସବୁଦିନ ପାଇଁ ଦେଶପାଇଁ ସହିଦ ହୋଇଗଲେ।’
ସେନା ଦିନେଶ କୁମାରଙ୍କ ସହିଦକୁ ସଲାମ କରିଛି। ସେନା ପୋଷ୍ଟରେ ଲେଖିଛି, "ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଲାନ୍ସ ନାୟକ ଦିନେଶ କୁମାରଙ୍କ ସର୍ବୋଚ୍ଚ ବଳିଦାନକୁ ସଲାମ । ଯିଏକି ମଇ ୦୭ରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ନିଜ ଜୀବନକୁ ବଳିଦାନ ଦେଇ ଦେଇଛନ୍ତି।"