ପ୍ରଦ୍ୟୁମ୍ନ ହତ୍ୟା ମାମଲା: ତଦନ୍ତରେ ତ୍ରୁଟି ରହିଛି ବୋଲି ସ୍ୱୀକାର କଲା ହରିଆଣା ପୁଲିସ୍‌

ଗୁରୁଗ୍ରାମ: ଗୁରୁଗ୍ରାମର ରିଆନ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲ୍‌ରେ ପଢୁଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନ ହତ୍ୟା ମାମଲାର ତଦନ୍ତରେ ତ୍ରୁଟି ରହିଛି ବୋଲି ସୋମବାର ହରିଆଣା ପୁଲିସ୍‌ ସ୍ୱୀକାର କରିଛି। ପ୍ରଦ୍ୟୁମ୍ନର ହତ୍ୟା ପରେ ହରିଆଣା ପୁଲିସ୍‌ କମିସନର ସନ୍ଦୀପ ଖିର୍‌ଓ୍ଵାର ଏକ ବୈଠକ ଡାକି ଏହି ମାମଲାର ତଦନ୍ତ ପାଇଁ ଏକ ଟିମ୍‌ ନିୟାଜିତ କରିଥିଲେ। ଏହି ମାମଲାରେ ସନ୍ଦେହ କରି ଟିମ୍‌ ସେହି ସ୍କୁଲ୍‌ର ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଗିରଫ କରିଥିଲା। ଏହା ପୁଲିସ୍‌ ବିଭାଗର ଏକ ଭୁଲ୍‌ ବୋଲି ହରିଆଣା ପୁଲିସ୍‌ ସ୍ୱୀକାର କରିଛି। କାହିଁକି ନା, ଅଶୋକ କୁମାରଙ୍କୁ ଗିରଫ କରିବା ପୂର୍ବରୁ ସିସିିଟିଭି ଫୁଟେଜ୍‌ ଠିକ ଭାବେ ଦେଖାଯାଇ ନଥିଲା ବୋଲି ପୁଲିସ୍‌ ପକ୍ଷରୁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରକାଶ ପାଇଥିଲା। ନିକଟରେ ସେହି ୮ ସେକେଣ୍ଡ୍‌ର ସିସିଟିଭି ଫୁଟେଜ୍‌ ସହିତ ଅନ୍ୟ ତଦନ୍ତକୁ ଭିତ୍ତି କରି ସିବିଆଇ ସେହି ସ୍କୁଲ୍‌ରେ ପଢୁଥିବା ଏକାଦଶ ଶ୍ରେଣୀରେ ଜଣେ ଛାତ୍ରଙ୍କୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା କୁନି ବାଳକ ପ୍ରଦ୍ୟୁମ୍ନର ମୃତଦେହ ଗୁରୁଗ୍ରାମରେ ଥିବା ରେୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପରିସରରେ ମିଳିଥିଲା। ସ୍କୁଲ୍‌ ପରିସରରେ ପ୍ରଦ୍ୟୁମ୍ନର ମୃତ ଶରୀର ମିଳିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌କୁ ପଠାଯାଇଥିଲା। ପ୍ରଦ୍ୟୁମ୍ନର ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ତା’ର ବେକକୁ କେହି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛି। ଏହି ମାମଲାରେ ରିୟାନ୍‌ ଇଣ୍ଟରନେସନାଲ୍‌ ସ୍କୁଲ୍‌ର ବସ୍‌ କଣ୍ଡକ୍ଟରଙ୍କୁ ପୁଲିସ୍‌ ଗିରଫ କରିଥିଲା। ସୁରକ୍ଷା ମାନଦଣ୍ଡର ଉଲଂଘନ କରିଥିବାରୁ ସ୍କୁଲ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଗିରଫ ପର ଦିନ କଣ୍ଡକ୍ଟର ଅଶୋକ କୁମାର ନିଜେ ପ୍ରଦ୍ୟୁମ୍ନର ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ମାତ୍ର ଏହାକୁ ଅବିଶ୍ୱାସ କରିଥିଲେ ପ୍ରଦ୍ୟୁମ୍ନର ବାପା। କଣ୍ଡକ୍ଟର ତାଙ୍କ ପୁଅର ହତ୍ୟା କରିବାର କୌଣସି କାରଣ ନାହିଁ ବୋଲି କହିବା ସହ ତାଙ୍କ ପୁଅର ହତ୍ୟା କରିବା ପାଇଁ ଏହା ହେଉଛି କାହାର ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଥିଲେ। ପରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର