ହରିୟାଣା ରାଜନୈତିକ ସଂକଟରେ ନାଟକୀୟ ମୋଡ, ବିଜେପି ସଂପର୍କରେ ଚୌଟାଲାଙ୍କ ୪ ବିଧାୟକ

ଚଣ୍ଡିଗଡ଼: ହରିୟାଣାରେ ୩ ଜଣ ସ୍ୱାଧୀନ ବିଧାୟକ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ରାଜନୈତିକ ଗତିବିଧି ଦ୍ରୁତ ଗତିରେ ବଦଳିବାରେ ଲାଗିଛି । କଂଗ୍ରେସ ପରେ ଏବେ ଜେଜେପି ସଭାପତି ଦୁଷ୍ମନ୍ତ ଚୌତାଲା ରାଜ୍ୟପାଳଙ୍କୁ ଚିଠି ଲେଖି ଫ୍ଲୋର ଟେଷ୍ଟ କିମ୍ବା ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି। ସେପଟେ ଜେଜେପି ଦଳ ପାଇଁ ବିପଦ ଆସିଯାଇଛି । କାରଣ  ଜେଜେପିର ୪ ଜଣ ବିଧାୟକ ବିଜେପି ସଂପର୍କରେ ଥିବା ଖବର ମିଳିଛି। କୁହାଯାଉଛି ଯେ ଏହି ୪ ଜଣ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଆଲୋଚନା କରିଛନ୍ତି । ହରିୟାଣା ମନ୍ତ୍ରୀ ମହିପାଲ ଧଣ୍ଡାଙ୍କ ପାନିପତସ୍ଥିତ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ୪ ବିଧାୟକ ବିଜେପି ସରକାରକୁ ସମର୍ଥନ କଲେ ସରକାର ଆଉ ସଂଖ୍ୟାଲଘୁ ରହିବ ନାହିଁ । ତେବେ ସରକାର ସଂଖ୍ୟାଲଘୁ ରହିଲେ ବି ସରକାର ପ୍ରତି କୌଣସି ବିପଦ ନାହିଁ । ଏହାର କାରଣ ହେଉଛି ମାର୍ଚ୍ଚ ମାସରେ ଏହି ସରକାର ଆସ୍ଥାଭୋଟର ସମ୍ମୁଖୀନ ହୋଇ ଉତ୍ତୀର୍ଣ୍ଣ ହୋଇଥିଲା । ନିୟମ ଅନୁସାରେ ଥରେ ଆସ୍ଥାଭୋଟ ହେବାର ୬ ମାସ ମଧ୍ୟରେ ଆଉ ଆସ୍ଥାଭୋଟ ହୋଇପାରିବ ନାହିଁ । ହରିୟାଣାରେ ଚଳିତ ବର୍ଷ ଅକ୍ଟୋବର କମ୍ବା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାର ଅଛି । ଏଣୁ ସେପର୍ଯ୍ୟନ୍ତ ସରକାର ପ୍ରତି ବିପଦ ନାହିଁ ।

ସମ୍ବନ୍ଧିତ ଖବର