ହରିୟାଣା, ପଂଜାବରେ କୃଷକଙ୍କ ବ୍ୟାପକ ଆନ୍ଦୋଳନ

ନୂଆଦିଲ୍ଲୀ: ସରକାରଙ୍କ ବିବାଦୀୟ କୃଷି ବିଲ୍‌କୁ ବିରୋଧ କରି ବିଭିନ୍ନ ରାଜ୍ୟରେ କୃଷକ ସଂଗଠନ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବିଲ୍‌ ଆଇନରେ ପରିଣତ ହେଲେ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେ‌‌ବେ ବୋଲି ସେମାନେ ଆଶଙ୍କା କରିଛନ୍ତି। ତେଣୁ ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଆଜି କୃଷକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଆନ୍ଦୋଳନ କରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଚେତାବନୀ ଦେଇ କହିଛନ୍ତି, ଆନ୍ଦୋଳନ କେବଳ ଏହି ରାଜ୍ୟମାନଙ୍କରେ ସୀମିତ ରହିବନି। ଆଗକୁ ଦେଶବ୍ୟାପୀ ଆନ୍ଦୋଳନ ହେବ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କୃଷକମାନଙ୍କୁ ଆନ୍ଦୋଳନ ନକରି କଥାବାର୍ତ୍ତା ପାଇଁ ଡାକିଥିଲେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ ନକରି ଆନ୍ଦୋଳନ କରିଛନ୍ତି। କୃଷକମାନଙ୍କ ଆନ୍ଦୋଳନ ପାଇଁ ଉଭୟ ପଂଜାବ ଏବଂ ହରିୟାଣାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପଂଜାବ ଯୁବ କଂଗ୍ରେସ ପକ୍ଷରୁ ଆଜି ପଂଜାବରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଟ୍ରାକ୍ଟର ରୢାଲି କରାଯାଇଛି। ପଂଜାବରେ ୩୧ଟି କୃଷକ ସଂଗଠନ କୃଷି ବିଲ୍‌କୁ ବିରୋଧ କରି ସେପ୍ଟେମ୍ବର ୨୫ରେ ବନ୍ଦ ଡାକରା ଦେଇଛନ୍ତି। ତେବେ ପଂଜାବ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ସମୟରେ ଅମ୍ବାଲା-ମୋହାଲି ବ୍ୟାରିକେଡ୍‌ ଭାଙ୍ଗିବାକୁ ଚେଷ୍ଟା କରାଯିବା ସମୟରେ ପୁଲିସ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରିଥିଲା।

ସମ୍ବନ୍ଧିତ ଖବର