ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ତିନିଥର ଗୁଳିମାଡ଼ କରାଯାଇ ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ଧର୍ମରାଜ ରାଜେଶ କଶ୍ୟପ(୧୯୦। ଯିଏକି ଉତ୍ତରପ୍ରଦେଶ ବହରାଇଚରେ ବସବାସ କରେ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତର ନାମ ଗୁରମୈଲ ବଲଜିତ ସିଂହ। ଗୁରମୈଲର ବାପା ଓ ମା’ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜେଜେମା’ ଜୀବିତ ଅଛନ୍ତି। ଗୁରମୈଲ ତାର ସାବତ ଭାଇ ସହିତ ହରିୟାଣାର କୈଥଲରେ ବସବାସ କରେ।
ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଅଭିଯୁକ୍ତ ଗୁରମୈଲର ଜେଜେମା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଗୁରମୈଲର ସାବତ ଭାଇ ସହିତ ବସବାସ କରେ। ୨୦୧୯ରେ ଏକ ହତ୍ୟା ମାମଲାରେ ଗୁରମୈଲ ଜେଲରେ ବନ୍ଦୀ ଥିଲା। ତିନିଚାରିମାସ ପୂର୍ବେ ସେ ଜାମିନରେ ବାହାରକୁ ଆସିଥିବା ଆମେ ଖବର ପାଇଥିଲୁ। ତେବେ ତାକୁ କିଏ ଜାମିନରେ ଆଣିଥିଲା ଓ କେଉଁ ଉଦ୍ଦେଶ୍ୟରେ ବାହାରକୁ ଅଣାଯାଇଥିଲା ତାହାକୁ ନେଇ ଆଜି ପର୍ଯ୍ୟନ୍ତ ଆମେ କୌଣସି ପ୍ରକାର ସୂଚନା ପାଇ ପାରିନାହୁଁ।
ଜାମିନରେ ଆସିବା ପରେ ଗୁରମୈଲ ଘରକୁ ଆସିଥିଲା। ମୁଁ କୌଣସି କାମରେ ବାହାରକୁ ଯାଇଥିଲି। ସେଠାରୁ ଫେରିଲା ବେଳକୁ ସେ ଘରୁ ଚାଲି ଯାଇଥିଲା। ତା’ ସହିତ ମୋର ଭେଟ ହୋଇ ପାରି ନଥିଲା। ସେ ବି ଆମ ପରିବାର ସହିତ ବିଶେଷ କିଛି ଯୋଗାଯୋଗ ରଖି ନାହିଁ।
ଗୁରମୈଲର ତାର ବାପାର ଏକମାତ୍ର ସନ୍ତାନ । ଗୁରମୈଲର ବାପାର ମୃତ୍ୟୁ ପରେ ବୋହୁ ଓ ମୋର ନାତି ସାନ ପୁଅ ଓ ବୋହୁ ପାଖରେ ରହୁଥିଲେ। ଗୁରମୈଲର ପିଲାଟି ଦିନରୁ ଖୁବ ଗଣ୍ଡଗୋଳ କରେ ସେଥିପାଇଁ ତାକୁ ୧୧ବର୍ଷ ବୟସରେ ଘରୁ ବାହାର କରି ଦିଆଯାଇଥିଲା। ଏହି ଘଟଣାର କିଛିଦିନ ପରେ ତାର ମା’ର ବି ମୃତ୍ୟୁ ହୋଇଯାଇଥିଲା।