ଚଣ୍ଡୀଗଡ଼: ଇସ୍ରାଏଲ୍‌ ନିମନ୍ତେ ୧୦,୦୦୦ କୁଶଳୀ ଶ୍ରମିକ ଚୟନ କରିବ ବୋଲି ଶୁକ୍ରବାର ଦିନ ‘ହରିୟାଣା କୌଶଳ ରୋଜଗାର ନିଗମ’ (ଏଚ୍‌କେଆର୍‌ଏନ୍‌) ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ସୂଚନାଯୋଗ୍ୟ, ହମାସ୍‌ ସହିତ ଯୁଦ୍ଧ ଆରମ୍ଭ ହେବା ଦିନୁ ଇସ୍ରାଏଲ୍‌ରେ ନିର୍ମାଣ ସେକ୍ଟର୍‌ରେ ଉତ୍କଟ ମାନବସମ୍ବଳ ଅଭାବ ପଡ଼ିଛି। ‘ଏଚ୍‌କେଆର୍‌ଏନ୍‌’ ବିଜ୍ଞପ୍ତି ଅନୁସାରେ, ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ୧୦ମ ପାସ୍‌।

ଏହାଛଡ଼ା, ସର୍ବନିମ୍ନ ୩ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କ ବୟସ ୨୫ରୁ ୫୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଇସ୍ରାଏଲୀ ମୁଦ୍ରା ଅନୁସାରେ ଏହି କାମ ପାଇଁ ଦରମା ବାବଦକୁ ମାସକୁ ମିଳିବ ୬୧୦୦ ‘ଆଇଏନ୍‌ଏସ୍‌’ ବା ଭାରତୀୟ ମୁଦ୍ରାରେ ୧.୩୪ ଲକ୍ଷ ଟଙ୍କା।

publive-image Image Courtesy of Times of India

ପ୍ରାର୍ଥୀମାନଙ୍କର କୋଠାବାଡ଼ି ନିର୍ମାଣ କାମ, କାଠକାମ ଓ ଚଟାଣ ଏବଂ କାନ୍ଥରେ ଚିନାମାଟି ଟାଇଲ୍‌ ଖଞ୍ଜିବା କାମ, ପଲସ୍ତରା କରିବା ଓ ଲୁହାଛଡ଼ ମୋଡ଼ାମୋଡ଼ି ଆଦି କାମ କରିବାରେ ଅଭିଜ୍ଞତା ଥିବା ଆବଶ୍ୟକ। ଆବେଦକାରୀମାନଙ୍କର ‘କନ୍‌ଷ୍ଟ୍ରକ୍‌ସନ୍‌ ପ୍ଲାନ୍‌’ ବା ନକ୍ସା ପଢ଼ିବା ଉପରେ ଉତ୍ତମ ଜ୍ଞାନ ଥିବା ଆବଶ୍ୟକ।

କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ବିବୃତି ଦେବା ପାଇଁ ‘ଏଚ୍‌କେଆର୍‌ଏନ୍‌’ର କୌଣସି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହୋଇନାହିଁ।

ସଂଗୃହୀତ ସୂଚନା ଅନୁସାରେ, ଯୁଦ୍ଧ ଲାଗିଥିବାରୁ ପ୍ରାୟ ୯୦,୦୦୦ ପାଲେଷ୍ଟିନୀୟଙ୍କ ‘ୱାର୍କ ପର୍‌ମିଟ୍‌’ ରଦ୍ଦ କରାଯାଇଥିବାରୁ ସେଠାରେ ଶ୍ରମିକ ସମସ୍ୟା ଉତ୍କଟ ହୋଇଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିର୍ମାଣ ଶ୍ରମିକ ନିମନ୍ତେ ‘ଇସ୍ରାଏଲ୍‌ ବିଲ୍‌ଡର୍ସ ଆସୋସିଏସନ୍‌’ ଭାରତ ସହିତ ଆଲୋଚନା କରୁଛି।