ହରିୟାଣା: ହରିୟାଣାର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରି ପୁଣି ଥରେ କୃଷକଙ୍କ ଜମି ଦଖଲ କରିବା, ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଏବଂ ଯୁବକମାନଙ୍କୁ ସେହି ପୁରୁଣା ସ୍ଥିତାବସ୍ଥାକୁ ଫେରାଇ ଆଣିବା କଂଗ୍ରେସର ମୂଳ ରାଜନୈତିକ ଉଦ୍ଦେଶ୍ୟ ରହିଛି। ଆଜି ହରିୟାଣାରେ ନିର୍ବାଚନ ପ୍ରଚାରବେଳେ ଏହିଭଳି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପିର ହରିୟାଣା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆଜି ଶ୍ରୀ ପ୍ରଧାନ କରନାଲରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ସଂଗଠନ ବିଷୟ ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସ୍ଥାନରେ ପ୍ରଚାର ସମୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ହରିୟାଣାରେ ବିଜେପି ବିଜୟର ହ୍ୟାଟ୍ରିକ୍ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି। ବିଗତ ୧୦ ବର୍ଷ ଧରି ବିଜେପି ନିରନ୍ତର ଭାବେ ହରିୟାଣାର ସେବା କରିଆସୁଛି । ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ନେଇଛନ୍ତି। କୃଷକମାନଙ୍କୁ ସମସ୍ତ କୃଷି ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ର ଗ୍ୟାରେଣ୍ଟି ଦେବାରେ ହରିୟାଣା ହେଉଛି ପ୍ରଥମ ରାଜ୍ୟ। ବିଜେପି ସରକାରରେ ଏହି ରାଜ୍ୟରେ ଯୁବବର୍ଗଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି।
ଗୋଟିଏ ପଟେ ସୈନୀ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରୁଥିବାବେଳେ ଅନ୍ୟପଟେ ବାପା ପୁଅଙ୍କ ଶାସନରେ ଚାଷୀଙ୍କ ଚାଷଜମି ଦଖଲ କରିବା ପାଇଁ ଯୋଜନା କରାଯାଉଛି। ଯେଉଁମାନେ ଏମ୍ଏସ୍ପି ନାଁରେ ଚାଷୀଙ୍କୁ ଠକିଥାନ୍ତି ସେମାନେ କେବେ ବି ନିଜ ସରକାରରେ ଗ୍ୟାରେଣ୍ଟି ପୂରଣ କରନ୍ତି ନାହିଁ। କଂଗ୍ରେସ ଠାରୁ ଜନତା କେବଳ ମିଛର ଗ୍ୟାରେଣ୍ଟି ପାଇଥାନ୍ତି। ହରିୟାଣାର ସଚେତନ ଓ ସ୍ୱାଭିମାନୀ ଲୋକମାନେ କଂଗ୍ରେସର ହରିୟାଣା ବିରୋଧୀ ଓ ଜନବିରୋଧୀ ମାନସିକତାକୁ ଭଲ ଭାବରେ ବୁଝିଛନ୍ତି। ସେଥିପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ଜନତା, କଂଗ୍ରେସ ଏବଂ ବାପା ପୁଅଙ୍କୁ ହରାଇ ସେମାନଙ୍କୁ ଏକ ଶିକ୍ଷା ଦେବାକୁ ଯାଉଛନ୍ତି। ହରିୟାଣାର ଡବଲ ଇଞ୍ଜିନ ସରକାର କୃଷକ, ମହିଳା, ଦଳିତ, ବଞ୍ଚିତ ଏବଂ ଯୁବବର୍ଗଙ୍କ ନନ୍ଷ୍ଟପ୍ ବିକାଶ କରି ବିକଶିତ ହରିୟାଣା ଗଠନ କରିବା କାମରେ ଲାଗିଛନ୍ତି। ହରିୟାଣାର ବିଜେପି ସରକାର ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/SyPgLpcuFlPUYzyk9Uru.jpg)