ହରିଆଣା: ଚଳିତ ସପ୍ତାହର ଆରମ୍ଭରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏଡିଜିପି ୱାଇ ପୁରନ କୁମାର ତାଙ୍କ ଚଣ୍ଡିଗଡ଼ସ୍ଥିତ ବାସଭବନରେ ମୃତ ଅବସ୍ଥାରେ ମିଳିବା ପରେ ମାମଲାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ମାମଲାରେ ଏବେ ହରିଆଣା ସରକାର ରାଜ୍ୟ ପୁଲିସ ମୁଖ୍ୟ ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇବାକୁ ବିଚାର କରୁଛନ୍ତି।

Advertisment

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁମାରଙ୍କ ନଅ ପୃଷ୍ଠାର ଆତ୍ମହତ୍ୟା ନୋଟରେ ଶତ୍ରୁଜିତ କପୁରଙ୍କ ନାମ ରହିଛି। ସୁଇସାଇଡ୍‌ ନୋଟରେ ହୋଇଥିବା  ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ପ୍ରଶାସନ ଉପରେ ଚାପ ବୃଦ୍ଧି ପାଉଛି।  ଏଥିପାଇଁ ଜଣେ ନୂତନ କାର୍ଯ୍ୟକାରୀ ଡିଜିପିଙ୍କୁ ନିଯୁକ୍ତ କରାଯିବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି। 

ଅଧିକାରୀଙ୍କ ପକେଟରୁ ଉଦ୍ଧାର ହୋଇଥିବା ସୁଇସାଇଡ ନୋଟରେ ଜଣେ ଡିଜିପି-ରାଙ୍କ୍‌ ଅଧିକାରୀଙ୍କ ସମେତ ପ୍ରାୟ ୧୨ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଉତ୍ପୀଡନ, ଭେଦଭାବ ଏବଂ ପ୍ରଶାସନିକ ପକ୍ଷପାତିତାର ଗୁରୁତର ଅଭିଯୋଗ ପ୍ରକାଶ ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। କୁମାର ସାତରୁ ଆଠ ଜଣ ଆଇପିଏସ ଏବଂ ଦୁଇ ଜଣ ଆଇଏଏସ ଅଧିକାରୀଙ୍କ ନାମ ମଧ୍ୟ ନେଇଥିଲେ।

ସେହି ନୋଟରେ ଇଚ୍ଛାପତ୍ର ଭାବରେ ଲେଖାଯାଇଥିବା ଏକ ପୃଷ୍ଠା ମଧ୍ୟ ଥିଲା, ଯେଉଁଥିରେ କୁମାରଙ୍କ ସମସ୍ତ ସମ୍ପତ୍ତି ତାଙ୍କ ସ୍ତ୍ରୀଙ୍କୁ ଦିଆଯାଉ ବୋଲି ଦାବି କରାଯାଇଥିଲା। 

ପୁଲିସ ବାସଭବନର ବିସ୍ତୃତ ଭାବେ ଯାଞ୍ଚ୍‌ କରିଛି।  ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ମାଧ୍ୟମରେ ଅନେକ ପ୍ରମାଣ ସଂଗ୍ରହ କରିଛି। ଅଧିକାରୀମାନେ ବର୍ତ୍ତମାନ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦାବିର ପ୍ରମାଣ ପାଇଁ ଡିଜିଟାଲ୍ ଏବଂ ହାତଲେଖା ସାମଗ୍ରୀ ଯାଞ୍ଚ କରୁଛନ୍ତି।