ତିରୁପତି ଠାକୁରଙ୍କ ଦୂର୍ମୂଲ୍ୟ ୫୦୦ କୋଟିର ମାଣିକ୍ୟଟି ଚୋରୀ ହୋଇଯାଇଛି କି ?ମନ୍ଦିର ବଡ଼ପଣ୍ଡାଙ୍କ ଅଭିଯୋଗ ପରେ ହଇଚଇ

ତିରୁପତି : ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରକୁ ନେଇ ବିବାଦ ଥମିଯାଇଥିବାବେଳେ ଏହି ପରି ଏକ ବିବାଦ ଆରମ୍ଭ ହୋଇଛି ଦେଶର ଏକ ପ୍ରମୁଖ ବୈଷ୍ଣବ କ୍ଷେତ୍ର ତିରୁପତିରେ । ତିରୁପତି ମନ୍ଦିରର ପୂର୍ବତନ ମୁଖ୍ୟ ଆଚାର୍ଯ୍ୟ (ବଡ଼ ପଣ୍ଡା) ଏଭି ରମନ୍ନା ଦିକ୍ଷିତଲୁ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଶ୍ରୀବିଗ୍ରହଙ୍କ ଶହ ଶହ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ରତ୍ନ ଗାଏବ ହୋଇଯାଇଛି । ଏହା ମଧ୍ୟରୁ ସବୁଠାରୁ ମୂଲ୍ୟବାନ ଏକ ମାଣିକ୍ୟର ପତ୍ତା ମିଳୁନାହିଁ । ନିକଟରେ ଜେନିଭାଠାରେ ହୋଇଥିବା ଏକ ନିଲାମରେ ଠିକ ଏପରି ଦେଖାଯାଉଥିବା ଏକ ମାଣିକ୍ୟ ପ୍ରାୟ ୫୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହା ହିଁ ହଜିଯାଇଥିବା ଠାକୁରଙ୍କ ସେହି ମୂଲ୍ୟବାନ ମାଣିକ୍ୟ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଣିବା ପରେ ତାଙ୍କୁ ମୁଖ୍ୟଆଚାର୍ଯ୍ୟ ପଦରୁ ବହିଷ୍କାର କରାଯାଇଛି । ତଥାପି ସେ ନିଜ ଜିଦରେ ଅଟଳ ଅଛନ୍ତି ଓ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ଏହି ମାଣିକ୍ୟକୁ ୧୯୪୫ ମସିହାରେ ମହୀଶୂରର ମହାରାଜା ତିରୁପତିର ଭଗବାନ ଭେଙ୍କଟେଶ୍ୱରଙ୍କୁ ଦାନ କରିଥିଲେ । ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କିନ୍ତୁ ଆଗମ ଶାନ୍ତ୍ରରେ ଶ୍ରୀବିଗ୍ରହଙ୍କ ଅଳଙ୍କାର ଓ ରତ୍ନ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ମନା କରାଯାଇଥିବାରୁ ସବୁ ରତ୍ନକୁ ସର୍ବସାଧାରଣରେ ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ କୁମାର ସିଂଘଲ କହିଛନ୍ତି ।

ସମ୍ବନ୍ଧିତ ଖବର