ଇରାନର ନୈତିକତା ପୁଲିସ ଉଚ୍ଛେଦ କଥା କଣ ମିଛ ?

ତେହରାନ :  ଜନ ଆନ୍ଦୋଳନ ଚାପରେ ଇରାନ ସରକାର ନୈତିକତା ପୁଲିସ ଉଚ୍ଛେଦ କରିବା ସହ ହିଜାବ ଆଇନର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା କଥା ଏବେ ସାରା ବିଶ୍ବର ଗଣମାଧ୍ୟମରେ ସ୍ଥାନ ପାଇଛି । ଭାରତୀୟ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ଗୁରୁତ୍ବ ଦେଇଛି । ଇରାନ ସରକାର ଆନ୍ଦୋଳନକାରୀଙ୍କ ଚାପରେ ନଇଁଲେ ବୋଲି ଲେଖାଯାଇଛି ।

କିନ୍ତୁ ଏହି ଖବର ସଂପୂର୍ଣ୍ଣ ମିଛ ବୋଲି ଇରାନର ଜଣେ ସାମ୍ବାଦିକା କହିଛନ୍ତି । ମାସି ଆଲିନେଜାଦ ନାମକ ଏହି ସାମ୍ବାଦିକା ଟ୍ବିଟ୍ କରି ଲେଖିଛନ୍ତି ଯେ ଚାପରେ ଥିବାରୁ ଇରାନ ସରକାର ଏପରି ମିଥ୍ୟା ଖବର ପ୍ରଚାର କରାଇଛନ୍ତି । କିନ୍ତୁ ପ୍ରକୃତରେ ଇରାନ ସରକାର ଏପରି କୌଣସି ନିଷ୍ପତ୍ତି ନେଇନାହାନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ବି ଇରାନର ଏହି ମିଥ୍ୟା ଖବରକୁ ସତ ଭାବି ନେଇଛି ।

 

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଇରାନ ସରକାର ୨୦୧୭ରେ ବି କହିଥିଲେ ଯେ ନୈତିକତା ପୁଲିସ ହିଜାବ ନ ପିନ୍ଧିଲେ କାହାରିକୁ ଗିରଫ କରିବ ନାହିଁ । କିନ୍ତୁ ତାହା ମିଛ ଥିଲା । ୨୦୨୨ରେ ହିଁ ନୈତିକତା ପୁଲିସ ମାସା ଅମିନିଙ୍କୁ  ହିଜାବ ମାମଲାରେ ଗିରଫ କରି ହତ୍ୟା କରିଥିଲା ।

ଇରାନର କୌଣସି ପ୍ରମୁଖ ଗଣମାଧ୍ୟମରେ ଏ ସଂପର୍କିତ କୈଣସି ଖବର ପ୍ରକାଶ ପାଇନାହିଁ । ଏପରିକି ଇରାନ ସରକାର ନିୟନ୍ତ୍ରିତ ସମ୍ବାଦ ଏଜେନ୍ସି ଇରନାରେ ମଧ୍ୟ ଏପରି କୌଣସି ଖବର ପ୍ରକାଶ ପାଇନାହିଁ । ଏଥିରୁ ଜଣାପଡ଼ୁଛି ଯେ ମାସି ଆଲିନେଜାଦଙ୍କ ଅଭିଯୋଗ ଅମୂଳକ ନୁହେଁ ।

ସମ୍ବନ୍ଧିତ ଖବର