ମୋଦିଙ୍କୁ ଭୁଲିଗଲେ କି କେଜରିଓ୍ଵାଲ ? ବର୍ଷେ ହେଲା ନାଁ ଧରିନାହାନ୍ତି

ନୂଆଦିଲ୍ଲୀ: ବଦଳି ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ । ଏଇ ବର୍ଷକ ତଳେ  ସେ ଶୋଇଲେ ଉଠିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରୁଥିଲେ । ସବୁ କଥାରେ ମୋଦି ଦାୟୀ ବୋଲି କହୁଥିଲେ । କିନ୍ତୁ ଏବେ ଗଲା ବର୍ଷେ ହେବ ସେ ମୋଦିଙ୍କ ନାଁ ତୁଣ୍ଡରେ ଧରୁନାହାନ୍ତି । ଶେଷଥର ପାଇଁ ସେ ଗତ ବର୍ଷ ମାର୍ଚ୍ଚ ମାସରେ ମୋଦିଙ୍କ ସମ୍ପର୍କରେ ଟ୍ଵିଟ୍‌ କରିଥିଲେ । କିନ୍ତୁ ନିକଟ ଅତୀତରେ ଅନେକ ଘଟଣାକୁ ନେଇ ଆମ ଆଦାମୀ ପାର୍ଟି (ଆପ୍‌) ଖବରରେ ରହିଥିଲା । ସବୁଠୁ ବଡ଼ ଖବର ହେଉଛି ଗତ ଜାନୁୟାରୀ ମାସରେ ଆପ୍‌ର ୨୦ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା । ଏଥିପାଇଁ ଆପ୍‌ ପକ୍ଷରୁ ବିଜେପିକୁ ଦାୟୀ କରାଯାଇଥିଲା । କିନ୍ତୁ ଏଥର ମଧ୍ୟ ଅରବିନ୍ଦ ମୋଦିଙ୍କୁ ଦାୟୀ କରିନାହାନ୍ତି ।  ୨୦୧୬ରେ ସେ ନିଜ ଟ୍ଵିଟ୍‌ ରେ ମୋଟ ୧୨୪ ଥର ମୋଦିଙ୍କ ବିଷୟରେ ଲେଖିଥିଲେ, ୨୦୧୭ରେ ସେ ମାତ୍ର ୩୩ ଥର ମୋଦି ଶବ୍ଦର ପ୍ରୟୋଗ କରିଥିଲେ । କିନ୍ତୁ ୨୦୧୭ ମାର୍ଚ୍ଚ ପରଠାରୁ ସେ ମୋଦି ଶବ୍ଦର ପ୍ରୟୋଗ କରିନାହାନ୍ତି । ତେବେ ତାଙ୍କର ଏହି ପରିବର୍ତ୍ତନର କାରଣ କଣ ?

ରାଜନୈତିକ ବିଶ୍ଳେଷକଙ୍କ ମତରେ କେଜରିଓ୍ଵାଲ ଚୁପ ରହିବା ଏକ ସୁଚିନ୍ତିତ ଯୋଜନାର ଅଂଶବିଶେଷ । ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବା, ପ୍ରତି କଥାରେ ତାଙ୍କୁ ଦାୟୀ କରିବା ଦ୍ୱାରା ତାହା ଲୋକମାନଙ୍କ ମଧ୍ୟରେ କେଜରିଓ୍ଵାଲଙ୍କ ଏକ ନକାରାତ୍ମକ ଛବି ତିଆରି କରୁଥିଲା । ଏକ ଐତିହାସିକ ଜନାଦେଶ ସହ ଦିଲ୍ଲୀବାସୀ କେଜରିଓ୍ଵାଲଙ୍କୁ ଜିତାଇ ଦିଲ୍ଲୀର ଶାସନଭାର ଦେଇଥିଲେ । କିନ୍ତୁ ସେ ଶାସନ କାମରେ ମନ ଦେବା ବଦଳରେ ମୋଦିଙ୍କ ସହ ପ୍ରତିଯୋଗିତା କରିବାରେ ନିଜର ସବୁ ସମୟ ଦେଲେ, ଦିଲ୍ଲୀରେ ବିଭିନ୍ନ ସମସ୍ୟା ଥିବାବେଳେ ସେ ଅନ୍ୟରାଜ୍ୟ ବ୍ୟାପାରରେ ମୁଣ୍ଡ ପୁରାଇ ଘୁରିବୁଲିଲେ । ଫଳରେ ଦଳର ଲୋକପ୍ରିୟତା ହ୍ରାସ ପାଇଲା । ଦଳ ପଂଜାବ, ଗୋଆ, ଦିଲ୍ଲୀର ସ୍ଥାନୀୟ ନିର୍ବାଚନରେ ହାରିଲା । କିନ୍ତୁ ଏହି ହାରିବାର ସମୀକ୍ଷା ନକରି ଦଳ ଭୋଟିଂ ମେସିନକୁ ଦୋଷ ଦେଲା । ଏହା ଦ୍ୱାରା କେଜରିଓ୍ଵାଲଙ୍କ ଲୋକପ୍ରିୟତା ହ୍ରାସ ପାଇଲା । ଆହୁରି ମଧ୍ୟ ଜେଟଲୀଙ୍କୁ ଦୋଷାରୋପ କରିବାରୁ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ମଧ୍ୟ ଚାଲିଥିଲା । ଏବେ ସେ ନିଜର ଭୁଲ ବୁଝିପାରି ଦଳର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ  କରୁଛନ୍ତି ।

 

 

ସମ୍ବନ୍ଧିତ ଖବର