ଗଙ୍ଗା ସଫା ପ୍ରତିଶୃତି ଭୁଲିଗଲେ କି ମୋଦି ?

ନୂଆଦିଲ୍ଲୀ: ୨୦୧୪ରେ ବିପୁଳ ବିଜୟ ସହ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାରଙ୍କ ଏକ ପ୍ରମୁଖ ପ୍ରତିଶୃତି ଥିଲା ଭାରତର ସବୁଠୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନଦୀ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା । ଇତି ମଧ୍ୟରେ ମୋଦି ସରକାର ୨୦୧୯ର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଗଙ୍ଗା ଯେଉଁ ପ୍ରଦୂଷିତକୁ ସେଇ ପ୍ରଦୂଷିତ ।

ନିକଟରେ ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି ଯେ ଗଙ୍ଗା ସଫା ପାଇଁ କେନ୍ଦ୍ର ସରକାର ମଂଜୁର କରିଥିବା ୧୦୫ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟରୁ ଗତ ଦୁଇ ବର୍ଷରେ ମାତ୍ର ୨୬ କୋଟି ଟଙ୍କା ବ୍ୟୟ ହୋଇପାରିଛି । ଗଙ୍ଗା ସଫା କରିବା ଲାଗି ଆବଶ୍ୟକ ଯୋଜନା, ଆର୍ଥିକ ପରିଚାଳନା ଓ କାର୍ଯ୍ୟାନ୍ଵୟନର ଅଭାବ ଫଳରେ ଏହି ପ୍ରକଳ୍ପ ନିଜର ଲକ୍ଷ୍ୟ ହାସଲରେ ବିଫଳ ହୋଇଛି ବୋଲି ସିଏଜି ନିଜ ରିପୋର୍ଟରେ କହିଛନ୍ତି । ଗଙ୍ଗା ନଦୀ କୂଳରେ ଥିବା ୧୦ଟି ପ୍ରମୁଖ ସହର ମଧ୍ୟରୁ କୌଣସି ଗୋଟିକରେ ପାଣି ଗାଧୋଇବା ଯୋଗ୍ୟ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଗତ ୨୦୧୫ରେ ଘୋଷଣା କରିଥିଲେ ଯେ ୨୦୧୫ରୁ ୨୦ ମଧ୍ୟରେ ଗଙ୍ଗା ସଫା ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ହେବ । କିନ୍ତୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଗଙ୍ଗା ଯେଉଁ ପ୍ରଦୂଷିତକୁ ସେଇ ପ୍ରଦୂଷିତ ହୋଇ ରହିଛି । ଏପରିକି ମୋଦିଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣାସୀରେ ଏହି ନଦୀ ସବୁଠାରୁ ଅଧିକ ପ୍ରଦୂଷିତ ହୋଇ ରହିଛି ।

ସମ୍ବନ୍ଧିତ ଖବର