ନୂଆଦିଲ୍ଲୀ: କ’ଣ ସତରେ ୨୦୩୬ରେ ଆସିବ ପ୍ରଳୟର ଦିନ? ଧ୍ୱସଂ ପାଇଯିବ ପୃଥିବୀ? ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ସମସ୍ତ ଜୀବସତ୍ତା? ଆଜି ପୁଣି ଥରେ ଏସବୁ ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ତର୍ଜମା। କାରଣ, ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ନାସା) ଆଜି ଭବିଷ୍ୟବାଣୀ କରି କହିଛି ଯେ ବିଗତ ୧୩ ବର୍ଷ ଧରି ଅନ୍ତରୀକ୍ଷରେ ବୁଲୁଥିବା ଏକ ଗ୍ରହ ୨୦୩୬ରେ ଆସି ପିଟିହେବ ପୃଥିବୀରେ ଏବଂ ଲୋପ କରିଦେବ ପୃଥିବୀରେ ରହିଥିବା ଜୀବସତ୍ତାକୁ।
ବିଗତ ୧୩ ବର୍ଷ ଧରି ଏହି ଗ୍ରହ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ନାସା ଆଜି ଆଧିକାରିକ ଭାବେ ଘୋଷଣା କରି କହିଛି ଯେ ନାସାର ଆକଳନ ଅନୁଯାୟୀ ସଂପୃକ୍ତ ଗ୍ରହଟି ୨୦୩୬ରେ ଆସି ପିଟିହେବ ପୃଥିବୀ ସହ। ଆଉ ଏହି ଘଟଣାରେ ଏକ ବିରାଟ କମ୍ପନ ସହ ବ୍ୟାପକ କ୍ଷୟକ୍ଷତି ଘଟିବ ପୃଥିବୀ ପୃଷ୍ଠରେ ଏବଂ ଲୋପ ପାଇଯିବ ଜୀବସତ୍ତା।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଗତ ୨୦୦୪ରେ ନାସା ଅନ୍ତରୀକ୍ଷରେ ଏହି ଗ୍ରହଟିକୁ ଠାବ କରିବା ପରେ ଏହାର ନାମକରଣ କରିଥିଲା ‘ଆପୋଫିଜ୍’। ଆଉ ସେହିଦିନ ଠାରୁ ବିଗତ ୧୩ ବର୍ଷ କାଳ ଧରି ଏହା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଅନ୍ତରୀକ୍ଷରେ ଏହାର ଗତିବିଧିକୁ ଅନୁଧ୍ୟାନ କରି ଆସୁଥିଲା। ଶେଷରେ, ଆଜି ଓ୍ଵାଶିଂଟନ୍ସ୍ଥିତ ନାସାର ମୁଖ୍ୟାଳୟରେ ଥିବା ଜନୈକ ବରିଷ୍ଠ ଅଧିକାରୀ ଡୁଏନ୍ ବ୍ରାଉନ୍ ଏହାକୁ ସ୍ପଷ୍ଟ କରିଛନ୍ତି। ଏ ସଂପର୍କିତ ଖବର ମଧ୍ୟ ନାସାର େଓ୍ଵବ୍ସାଇଟ୍ ସମେତ ଆମେରିକାର ଆଇବି ଟାଇମସ୍ରେ ପ୍ରକାଶିତ ହୋଇଥିବା ଜାଣିବାକୁ ମିଳିଛି। ଏ ସଂପର୍କରେ ବ୍ରାଉନ୍ ସୂଚନା ଦେଇ ପୃଥିବୀ ସହ ଏହି ଗ୍ରହର ସଂଘର୍ଷ ୨୦୩୬ ଅପ୍ରେଲ ୧୩ ତାରିଖରେ ଘଟିବ; ଆଉ ସଂଘର୍ଷର ପ୍ରଭାବ ଏତେ ବ୍ୟାପକ ଓ ଭୟଙ୍କର ହେବ ଯେ ସେଥିରେ ପୃଥିବୀ ପୃଷ୍ଠରୁ ସମସ୍ତ ଜୀବସତ୍ତା ଲୋପ ପାଇଯିବ ବୋଲି କହିଛନ୍ତି!
ଅନ୍ୟପକ୍ଷରେ, ରୁଷୀୟ ଅନ୍ତରୀକ୍ଷ ଗବେଷକମାନେ ମଧ୍ୟ ଏହି ଗ୍ରହ ସହ ପୃଥିବୀର ସଂଘର୍ଷ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ପ୍ରକାଶ କରି ନ ଥିଲେ ସୁଦ୍ଧା କହିଛନ୍ତି ଯେ ଏହା ପୂର୍ବରୁ ୨୦୨୯ରେ ଏହି ଗ୍ରହଟି ପୃଥିବୀର ଅତି ନିକଟତର ହୋଇ ମାତ୍ର ୩୨ ହଜାର କିମି ଦୂରତାକୁ ଆସିଯିବ। ଆଉ ସେତେବେଳେ ଏହା ପ୍ରଭାବରେ ଆସି ପୃଥିବୀ ପୃଷ୍ଠରେ ପ୍ରଳୟ ସୃଷ୍ଟି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/doomsday-pic.jpg)