ଚୀନ ଲଢୁଆ ବିମାନକୁ ତାଇଓ୍ଵାନ ଖସାଇଥିବା ସଂଦେହ

ନୂଆଦିଲ୍ଲୀ : ଚୀନର ଆକ୍ରମଣାତ୍ମକ ଅଭିମୁଖ୍ୟକୁ ନେଇ ସମଗ୍ର ଏସିଆରେ ଯୁଦ୍ଧର କଳାବାଦଲ ଘୋଟିଆସୁଛି । ଗୋଟିଏପଟେ ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ଅନ୍ୟପଟେ ତାଇଓ୍ଵାନ ଓ ଚୀନ ମଧ୍ୟରେ ସମ୍ପର୍କରେ ବିଗିଡ଼ିବାରେ ଲାଗିଛି । ଏହି ପୃଷ୍ଠଭୂମିରେ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି ।

ଅସମର୍ଥିତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଇଓ୍ଵାନର ଏୟାର ଡିଫେନ୍ସ ସିଷ୍ଟମ ଚୀନର ପିପୁଲ୍ସ ଆର୍ମି ଏୟାର ଫୋର୍ସର ଏକ ସୁଖୋଇ-୩୫ ଲଢୁଆ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇଦେଇଛି । ଏହି ବିମାନଟି ତାଇଓ୍ଵାନର ବାୟୁସୀମା ଟପୁଥିବାବେଳେ ଏହି ଘଟଣା ଘଟିଥିଲା । ତାଇଓ୍ଵାନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ଚୀନ ବିମାନ ଶୁଣିନଥିଲା । ଏହି ଘଟଣାକୁ ତାଇଓ୍ଵାନ ସରକାର ଏପର୍ଯ୍ୟନ୍ତ ସ୍ୱୀକାର କରିନାହାନ୍ତି । ତେବେ ତାଇଓ୍ଵାନର ରାଷ୍ଟ୍ରପତି ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ।

ଏହି ଘଟଣା ସତ ସାବ୍ୟସ୍ତ ହେଲେ ତାଇଓ୍ଵାନ ଓ ଚୀନ ମଧ୍ୟରେ ସଂପର୍କ ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ଏପରିକି ଯୁଦ୍ଧ ହେବାର ଆଶଙ୍କା ମଧ୍ୟ ବଢିଯାଇଛି ।

ଚୀନ ତାଇଓ୍ଵାନକୁ ନିଜର ଅଞ୍ଚଳ ବୋଲି ଦାବି କରୁଥିବାବେଳେ ତାଇଓ୍ଵାନ ନିଜକୁ ଏକ ସ୍ୱାଧୀନ ଦେଶ ବୋଲୁ କହୁଛି । ଚୀନ ଆସନ୍ତା ୨୦୨୫ ସୁଦ୍ଧା ବଳପୂର୍ବକ ତାଇଓ୍ଵାନକୁ ଅଧିକାର କରିନେବ ବୋଲି ଧମକ ଦେଇଛି ।

ସମ୍ବନ୍ଧିତ ଖବର