ବିବାଦୀୟ ଟ୍ଵିଟ୍‌ ପାଇଁ ଅଡ଼ୁଆରେ କମଲ୍‌ ହାସନ: ଅପରାଧିକ ମାମଲା ସାମ୍ନା କରିପାରନ୍ତି

ଚେନ୍ନାଇ: ଅଭିନେତା କମଲ୍‌ ହାସନ ଏକ ବିବାଦୀୟ ଟ୍ଵିଟ୍‌ ପାଇଁ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ଡେଙ୍ଗୁ ନିରାକରଣ ଲାଗି ଏକ ଔଷଧ ‘ନୀଲାବେମ୍ବୁ କୁଡ଼ିନେର’ର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଥିବା କହି ଏହା ନ ବାଣ୍ଟିବାପାଇଁ ଟ୍ଵିଟ୍‌ ମାଧ୍ୟମରେ ନିଜ ଫ୍ୟାନ୍‌ମାନଙ୍କୁ ମତେଇଥିବା ଅଭିଯୋଗରେ କମଲ୍‌ଙ୍କ ସଙ୍କଟ ବଢ଼ିଯାଇଛି। ତେବେ ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଅପରାଧ ହୋଇଛି ବୋଲି ଜଣାପଡ଼େ ତେବେ କମଲ୍‌ଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାପାଇଁ ମାଡ୍ରାସ ହାଇକୋର୍ଟ ଆଜି ଚେନ୍ନାଇ ସିଟି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଆଇନଜୀବୀଙ୍କ ପିଟିସନ୍‌କୁ ଆଧାର କରି ବିଚାରପତି ଏମଏସ ରମେଶ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ କହିବା ଅନୁଯାୟୀ କମଲ୍‌ ଡେଙ୍ଗୁ ନିରାକରଣ ଔଷଧ ‘ନୀଲାବେମ୍ବୁ’ର ପାର୍ଶ୍ୱ ପ୍ରତିକ୍ରିୟା ଥିବା କହି ଏହା ନବାଣ୍ଟିବାପାଇଁ ଫ୍ୟାନ୍‌ମାନଙ୍କୁ ଟ୍ଵିଟ୍‌ ମାଧ୍ୟମରେ ମତାଇଥିଲେ। ତେବେ କେଉଁ ଆଧାରରେ କମଲ୍‌ ଏପରି ଅପପ୍ରଚାର କରିଛନ୍ତି ତାହା ସେ ସ୍ପଷ୍ଟ ଭାବେ ଜଣାଇନାହାନ୍ତି। ଆବେଦନକାରୀଙ୍କ ମତରେ ଯଦି କମଲ୍‌ ଏହି ଔଷଧ ସେବନ କରି କିଛି ଅସୁବିଧାରେ ପଡ଼ିଥାନ୍ତି ତେବେ ସେ ଏ ସଂକ୍ରାନ୍ତରେ କିଛି ବୟାନ ଦେବା ପୂର୍ବରୁ ପ୍ରଥମେ ବିସ୍ତତ ଭାବେ ଜଣାଇବା ଆବଶ୍ୟକତା ଥିଲା। ଅନ୍ୟ ପକ୍ଷରେ କମଲ୍‌ ରାଜନୈତିକ ଉଦ୍ଦେଶ୍ୟ ରଖି ତାମିଲନାଡ଼ୁ ସରକାରଙ୍କ ବିରୋଧରେ ଏଭଳି ବୟାନ ରଖିଛନ୍ତି ଏବଂ ରାଜ୍ୟରେ ଶାନ୍ତି ନଷ୍ଟ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଆବେଦନକାରୀ କହିଛନ୍ତି।

ସମ୍ବନ୍ଧିତ ଖବର