ଭରଣପୋଷଣ ପାଇଁ ମହମ୍ମଦ ସାମିଙ୍କ ଠାରୁ ମାସିକ ୧୦ଲକ୍ଷ ଦାବି କଲେ ପତ୍ନୀ ହସିନ୍ ଜାହାଁ
କୋଲକାତା: ନିଜର ଓ ନିଜ ଶିଶୁକନ୍ୟାର ଭାରଣପୋଷଣ ପାଇଁ କ୍ରିକେଟିୟର୍ ମହମ୍ମଦ ସାମିଙ୍କ ଠାରୁ ମାସିକ ୧୦ଲକ୍ଷ ଟଙ୍କା ଦାବି କରିଛନ୍ତି ସାମିଙ୍କ ପତ୍ନୀ ହସିନ୍ ଜାହାଁ। ଏଥିପାଇଁ ଘରୋଇ ହିଂସା ଆଇନ୍ ୨୦୦୫ ବଳରେ ହସିନ୍ ଅଲ୍ଲୀପୁର ଜୁଡିସିଆଲ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଆଗତ କରିଥିବା ଏକ ମାମଲାର ଶୁଣାଣି କରି ମହମ୍ମଦ ସାମିଙ୍କ ସମେତ ଏହି ମାମଲାରେ ପକ୍ଷଭୁକ୍ତ ଥିବା ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିବା ସହ ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଆସି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଇ ୪ ତାରିଖକୁ ଧାର୍ଯ୍ୟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ଜଣାଯାଇଛି ଯେ ଭରଣପୋଷଣ ପାଇଁ ନ୍ୟାୟାଳୟରେ ଆଗତ କରିଥିବା ଏହି ମାମଲାରେ ହସିନ୍, ସ୍ୱାମୀ ସାମିଙ୍କ ସମେତ ତାଙ୍କର ମା’ ଅଞ୍ଜୁମନ୍ ଆରା ବେଗମ୍, ଭଉଣୀ ସବିନା ଅଞ୍ଜୁମ୍, ଭାଇ ମହମ୍ମଦ ହସିବ୍ ଅହମ୍ମଦ ଏବଂ ହସିବ୍ଙ୍କ ପତ୍ନୀ ସମ୍ମା ପରଭିନ୍ଙ୍କୁ ପକ୍ଷଭୁକ୍ତ କରିଛନ୍ତି। ପୂର୍ବରୁ ଗତ ମାର୍ଚ୍ଚ ୮ ତାରଖରେ ହସିନ୍ ଉପରୋକ୍ତ ସମସ୍ତଙ୍କ ବିରୋଧରେ ଯାଦବପୁର ପୋଲିସ୍ ଥାନାରେ ଏକ ଏଫ୍ଆଇଆର୍ ଆଗତ କରିଥିଲେ। ଏହି ଏଫ୍ଆଇଆର୍ ଆଧାରରେ ଯାଦବପୁର ପୋଲିସ୍ ଏବେ ଭାରତୀୟ ଦଣ୍ଡବିଧି ଆଇନ୍ର ୪୯୮(ଏ), ୩୨୩, ୩୦୭, ୩୭୬, ୫୦୬, ୩୨୮ ଓ ୩୪ ଦଫାରେ ଏକ ମାମଲାରୁଜ୍ଜୁ କରିବା ସହ ତଦନ୍ତ ଅବ୍ୟାହତ ରଖିଛି।
ହସିନ୍ ଆଗତ କରିଥିବା ଭରଣପୋଷଣ ମାମଲା ସଂପର୍କରେ ସୂଚନା ଦେଇ ହସିନ୍ଙ୍କ ଓକିଲ କହିଛନ୍ତି ଯେ ସାମିଙ୍କ ବିରୋଧରେ ଅଭିଯୋଗ କରିବା ପରେ ହସିନ୍ଙ୍କୁ ଟଙ୍କାଟିଏ ବି ଦେଉ ନାହାନ୍ତି ସାମି। ପୂର୍ବରୁ ଏକଲକ୍ଷ ଟଙ୍କାର ଯେଉଁ ଚେକ୍ ସାମି ଦେଇଥିଲେ ତାହାକୁ ବ୍ୟାଙ୍କୁକୁ କହି ଅଟକାଇ ଦେଇଛନ୍ତି। ଏପରିସ୍ଥିତରେ ହସିନ୍ ଓ ତାଙ୍କ ଶିଶୁକନ୍ୟା ନିକଟରେ ଚଳିବାକୁ ମଧ୍ୟ ଅର୍ଥ ନାହିଁ। ଏପରିସ୍ଥିତିରେ ହସିନ୍ ନିଜ ପାଇଁ ମାସିକ ୭ ଲକ୍ଷ ଓ ଶିଶୁକନ୍ୟା ପାଇଁ ମାସିକ ୩ ଲକ୍ଷ ଟଙ୍କର ଭରଣପୋଷଣ ଦାବି କରିଛନ୍ତି ସାମିଙ୍କ ଠାରୁ। ବାର୍ଷିକ ୧୦୦ କୋଟିରୁ ଉର୍ଦ୍ଧ୍ୱ ଆୟ କରୁଥିବା ସାମିଙ୍କ ପକ୍ଷରେ ନିଜ ପତ୍ନୀ ଓ କନ୍ୟାର ଭରଣପୋଷଣ ବାବଦରେ ମାସିକ ୧୦ଲକ୍ଷ ଦେବାକୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ହସିନ୍୍ଙ୍କ ଓକିଲ।