ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସପ୍ତାହକ ତଳେ ବିସ୍ଫୋରକ ପରିସ୍ଥିତି ଭିତରେ ଇସ୍ତଫା ଦେବା ଓ ଭାରତ ଚାଲିଆସିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବଡ଼ ଧରଣର ବିଦେଶୀ ଷଡ଼୍ଯନ୍ତ୍ର ହୋଇଛି ଏବଂ ଏଥିରେ ଆମେରିକାର ମୁଖ୍ୟ ଭୂମିକା ରହିଛି ବୋଲି ହସିନା କହିଛନ୍ତି। ସେଣ୍ଟମାର୍ଟିନ୍ ଦ୍ୱୀପକୁ ଆମେରିକାକୁ ହସ୍ତାନ୍ତର ନକରିବା ଏବଂ ବଙ୍ଗୋପ ସାଗରରେ ଆମେରିକାର ପ୍ରାଧାନ୍ୟ ପାଇଁ ସମର୍ଥନ ନକରିବାରୁ ତାଙ୍କ ସରକାର ଭାଙ୍ଗି ଦିଆଯାଇଛି ବୋଲି ହସିନା କହିଛନ୍ତି। ଏହା ସହିତ ତାଙ୍କର କେତେକ ବୟାନକୁ ଅତ୍ୟନ୍ତ କଦର୍ଥ କରି ବ୍ୟାପକ ପ୍ରଚାର କରାଯାଇଥିଲା ଏବଂ ଦେଶରେ ହିଂସା ପାଇଁ ବିଭିନ୍ନ ଗୋଷ୍ଠୀ ପ୍ରୟାସ କରିଥିଲେ ବୋଲି ସେ ମତ ରଖିଛନ୍ତି। ସେଣ୍ଟମାର୍ଟିନ୍ ଦ୍ୱୀପ ସଂପର୍କରେ ସ୍ପଷ୍ଟ କରି ହସିନା କହିଛନ୍ତି ଯେ ଆମେରିକା ସେଠାରେ ଏକ ସାମରିକ ଘାଟି ନିର୍ମାଣ କରିବାକୁ ଚାହୁଥିଲା ଏବଂ ଏଥିପାଇଁ ପ୍ରବଳ ଚାପ ପକାଉଥିଲା।
ହସିନା କହିଛନ୍ତି, ମୁଁ ଚାହୁନଥିଲି ଯେ ମୌଳବାଦୀଙ୍କ ହିଂସାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉ ଏବଂ ଦେଶ ବିନାଶ ଆଡ଼କୁ ଗତିକରୁ। ସେମାନେ ହିଂସା ଓ ରକ୍ତପାତ ମାଧ୍ୟମରେ କ୍ଷମତା ଦଖଲ କରିବାକୁ ଚାହୁଥିଲେ। କିନ୍ତୁ ମୁଁ ତାହା ହେବାକୁ ଦେଲି ନାହିଁ ଏବଂ ବ୍ୟାପକ ଗଣହତ୍ୟା ପୂର୍ବରୁ ଦେଶ ଛାଡ଼ି ପଳାଇଆସିଲି। ସେଣ୍ଟମାର୍ଟିନ୍ ଦ୍ୱୀପକୁ ଆମେରିକା ନିୟନ୍ତ୍ରଣରେ ରଖିବା ପାଇଁ ଯଦି ମୁଁ ସମର୍ଥନ କରିଥାନ୍ତି ତା’ହେଲେ ମୋର ଆସନ ରକ୍ଷା ପାଇଥାନ୍ତା। ତେବେ ମୁଁ ଦେଶ ସ୍ବାର୍ଥରେ କାମ କରିଛି ଏବଂ ଆଲ୍ଲାଙ୍କ କୃପାରୁ ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି।
ଛାତ୍ର ଆନ୍ଦୋଳନ ସମ୍ପର୍କରେ ହସିନା କହିଛନ୍ତି, ମୁଁ ସେମାନଙ୍କୁ କେବେ ଦେଶବିରୋଧୀ ବୋଲି କହିନଥିଲି। ଦେଶକୁ ଅସ୍ଥିର କରିବା ପାଇଁ ମୋ କଥାକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଥିଲା ଏବଂ ଏହାପଛରେ ଅତ୍ୟନ୍ତ ଯୋଜନାବଦ୍ଧ ଷଡ଼୍ଯନ୍ତ୍ର କାମ କରୁଥିଲା। ସୂଚନାଯୋଗ୍ୟ, ହସିନା ଇସ୍ତଫା ଦେଇ ଭାରତ ପଳାଇ ଆସିବା ପରେ ତାଙ୍କୁ ଏଠାରେ ସୁରକ୍ଷିତ ଆଶ୍ରୟ ଉପଲବ୍ଧ କରାଯାଇଛି ଏବଂ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି।