ଗାଜିଆବାଦ: ଶେଖ ହସିନାଙ୍କୁ ଭାରତ ଆଣିଥିବା ବାଂଲାଦେଶ ବାୟୁସେନା ବାହିନୀର ସି-୧୩୦ଜେ ପରିବହନ ବିମାନ ଆଜି ସକାଳ ୯ଟା ସମୟରେ ହିଣ୍ଡନ ବାୟୁସେନା ଘାଟି ଛାଡ଼ିଛି। ଆଜି ଫେରିଥିବା ବିମାନରେ ଶେଖ୍ ହସିନା ନାହାନ୍ତି ଏବଂ ସେ କିଛିଦିନ ଭାରତରେ ରହିବେ ବୋଲି ଜଣାପଡ଼ିଛି। ସେ ହିଣ୍ଡନ ବାୟୁସେନା ଘାଟିରେ ଏକ ଅତିଥି ଭବନରେ ଅଛନ୍ତି। ହସିନା ଏବେ ବ୍ରିଟେନରେ ରାଜନୈତିକ ଆଶ୍ରୟ ନେବାକୁ ଚାହୁଛନ୍ତି ଏବଂ ତାଙ୍କ ଭଉଣୀ ଶେଖ ରାହେନା ମଧ୍ୟ ବ୍ରିଟିଶ ନାଗରିକ। ତେବେ ରାଜନୈତିକ ଆଶ୍ରୟ ମାମଲାରେ ବ୍ରିଟେନ ସରକାରଙ୍କ କେତେକ ନୂଆ କଟକଣା ଏ ଦିଗରେ ପ୍ରତିବନ୍ଧକ ସାଜିଛି। ଏ ବାବଦ ସ୍ଥିତିର ସମାଧାନ ପର୍ଯ୍ୟନ୍ତ ହସିନା ଭାରତରେ ରହିବେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଭାରତ ସରକାର ମଧ୍ୟ ହସିନାଙ୍କୁ କିଛିଦିନ ଆଶ୍ରୟ ଦେବାକୁ ଆଶ୍ବସ୍ତ କରିଛନ୍ତି।
ଆଜି ଭାରତ ଛାଡ଼ିଥିବା ବାଂଲାଦେଶ ବାୟୁସେନା ବିମାନରେ ବାଂଲା ସେନାର ୭ ଜଣ ସଦସ୍ୟ ଥିଲେ ଏବଂ ଏହା ବାଂଲାଦେଶ ବାୟୁସେନା ଘାଟିରେ ସୁରକ୍ଷିତ ଅବତରଣ କରିଥିବା ଜଣାପଡ଼ିଛି। ହସିନା ଗତକାଲି ଇସ୍ତଫା ଦେବାପରେ ଏହି ବିମାନରେ ଆସି ଭାରତ ପହଞ୍ଚିଥିଲେ। ହସିନା ଲଣ୍ଡନ ଯିବା ପାଇଁ ସମସ୍ତ ଅନୁମୋଦନ ନ ମିଳିବା ପର୍ଯ୍ୟନ୍ତ ତାଙ୍କୁ ଭାରତରେ ଆଶ୍ରୟ ମିଳିବ। ଇତିମଧ୍ୟରେ ଆମେରିକା ହସିନାଙ୍କ ଭିସା ବାତିଲ କରିଦେଇଛି। ହସିନା ତାଙ୍କ ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ ଖୁବ୍ଶୀଘ୍ର ଭାରତ ସରକାରଙ୍କ ସହ ଆଲୋଚନା କରିବେ। ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବାକୁ ଚାହୁଥିଲେ ମଧ୍ୟ ଭାରତ ସରକାର ଏଥିପାଇଁ ପରିବେଶ ଅନୁକୂଳ ନୁହେଁ ବୋଲି ତାଙ୍କୁ ଜଣାଇ ଦେଇଛନ୍ତି।