ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ୍ ମାମଲାରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି ଯେ ହିଂସା ରୋକିବାକୁ ରାତିରେ ପୀଡ଼ିତାଙ୍କ ଶବର ସତ୍କାର କରାଯାଇଥିଲା ।
ସକାଳେ ଏହି ମାମଲାକୁ ନେଇ ବଡ଼ ଧରଣର ହିଂସା ହେବାର ଆଶଙ୍କା ଥିଲା । ସକାଳେ ଲକ୍ଷାଧିକ ଲୋକ ଏକାଠି ହୋଇ ହିଂସା କରିବାର ଆଶଙ୍କା ଥିବା କଥା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ରାତିରେ ଶବ ସତ୍କାର ପାଇଁ ଜିଲ୍ଲା ପ୍ରଶାସନ ପୀଡ଼ିତାର ପରିବାରକୁ ବୁଝାଇ ଏହି ସତ୍କାର କରାଯାଇଥିଲା । ନିଜ ସତ୍ୟପାଠରେ ୟୁପି ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାକୁ ଜାତିଆଣ ଓ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି । କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ମଧ୍ୟ ଏହି ମାମଲାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଏକ ପ୍ରଚାର ଅଭିଯାନ ଚାଲିଛି । ଏଣୁ ମାମଲାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ । ଏହା ସହିତ କୋର୍ଟ ଏହି ମାମଲାର ତଦାରଖ କରନ୍ତୁ ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖରେ ହାଥରସର ଜଣେ ୧୯ ବର୍ଷୀୟା ଯୁବତୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଯୁବତୀ ଦିଲ୍ଲୀର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ।