ନୂଆଦିଲ୍ଲୀ: ଗୋଟିଏ ପଟେ ହାଥରସ ଘଟଣାକୁ ନେଇ ଦଙ୍ଗା କରାଯିବା ଷଡଯନ୍ତ୍ର ଉପରୁ ପରଦା ଉଠିଥିବା ବେଳେ ଅନ୍ୟ ପଟେ ପୀଡିତାଙ୍କ ପରିବାର ଗାଁ ଛାଡିବା କଥା କହୁଥିବା ଜଣାପଡ଼ିଛି।
ହାଥରସ ପୀଡିତାଙ୍କ ପରିବାରଲୋକଙ୍କ କହିବାନୁସାରେ, ସେମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଏବଂ ଗାଁରେ କେହି ସେମାନଙ୍କୁ ସାହାଯ୍ୟ କରୁନାହାଁନ୍ତି। ପୀଡିତାଙ୍କ ପିତା ଏବଂ ଭାଇ କହିଛନ୍ତି ଯେ ଏତେ ବଡ଼ ଅଘଟଣ ଘଟିବା ପରେ ଘରେ ଚୁଲି ଜଳୁ ନାହିଁ। ଏଭଳି ପରିସ୍ଥିତିରେ ଗାଁ ଲୋକ ପାଣି ବୁନ୍ଦେ ପିଇବାକୁ ବି ପଚାରୁ ନାହାନ୍ତି।
ଗାଁରେ କେହି ସାହାଯ୍ୟ କରୁନାହାଁନ୍ତି। ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଚାପ ବି ପ୍ରୟୋଗ କରାଯାଉଛି। ଲୋକମାନେ ଆମକୁ ସାହାଯ୍ୟ କରିବା ପରିବର୍ତ୍ତେ ଆମଠାରୁ ଦୂରେଇ ଯାଉଛନ୍ତି। ତେଣୁ ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଗାଁ ଛାଡ଼ି କୌଣସି ସମ୍ପର୍କୀୟଙ୍କ ପାଖକୁ ଚାଲି ଯିବାକୁ ନିଷ୍ପତ୍ତି ନେଇଛୁ। ଆମକୁ ତ ଆଗକୁ କେବଳ ମୃତ୍ୟୁ ହିଁ ଦେଖା ଦେଉଛି।
ପୀଡିତାଙ୍କ ବଡ ଭାଇ କହିଛନ୍ତି ଯେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଏଠାରେ ରହିବା କଷ୍ଟକର। ସାନଭାଇଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଛି।
ଉଲ୍ଲେଖଯୋଗ୍ୟ, ନିର୍ଭୟା ଭଳି ଏକ କାଣ୍ଡ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହାଥରସ୍ ଗାଁରେ ଘଟିଥିଲା। ଏଠାରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି।