ହାଥରାସ୍‌ ଗଣଦୁଷ୍କର୍ମ ମାମଲା: ଏକାଧିକ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହାଥରାସ୍‌ ଗଣଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ସୁପ୍ରିମକୋର୍ଟ ଆଜି ହାଥରାସ୍‌ ଗଣଦୁଷ୍କର୍ମ ମାମଲାରେ ଏକାଧିକ ଆବେଦନର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କିମ୍ବା ଆହ୍ଲାବାଦ୍‌ ହାଇକୋର୍ଟ ହାଥରାସ୍‌ ମାମଲାରେ ସିବିଆଇ ତଦନ୍ତର ତଦାରଖ କରିବା ପ୍ରସଙ୍ଗ ସହ ପୀଡ଼ିତା ପରିବାର ଦ୍ବାରା ବିଚାରଣ ପ୍ରକ୍ରିୟା ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥାାନାନ୍ତର ପ୍ରସଙ୍ଗ ଏବଂ ପୀଡ଼ିତା ପରିବାରକୁ ସୁରକ୍ଷା ଦେବା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନର ଆଜି କୋର୍ଟ ଶୁଣାଣି କରିଛନ୍ତି।

ଆଜିର ଶୁଣାଣି ସମୟରେ ଉତ୍ତରପ୍ରଦେଶ ପୁଲିସ ପୀଡ଼ିତା ପରିବାରକୁ ପ୍ରଦାନ କରାଯାଇଥିବା ସୁରକ୍ଷା ସଂକ୍ରାନ୍ତରେ କୋର୍ଟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ ହାଜର ହୋଇ ମାମଲାର ସୁପ୍ରିମକୋର୍ଟ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ପୀଡ଼ିତା ପରିବାରକୁ ସଠିକ୍‌ ସୁରକ୍ଷା ଦିଆଯାଇଛି ବୋଲି ମେହଟା କହିଥିଲେ। ଅନ୍ୟପକ୍ଷେ ପୀଡ଼ିତା ପରିବାରର ଆଇନଜୀବୀ ସୀମା କୁଶୱାହା ଏହି ମାମଲାର ବିଚାରଣକୁ ଦିଲ୍ଳୀ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ। ତେବେ କୋର୍ଟ ଉପରୋକ୍ତ ସମସ୍ତ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ପୀଡ଼ିତା ପରିବାରର ସୁରକ୍ଷା ପାଇଁ ସିଆରପିଏଫ୍‌ ଯବାନ ମୁତୟନ ହେବେ କି ନା’ ସେନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର