ଲକ୍ଷ୍ନୌ: ଚାରି ଜଣ ବ୍ୟକ୍ତିଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଜୀବନ ସହ ଲଢ଼େଇ କରୁଥିବା ଉତ୍ତରପ୍ରଦେଶର ୧୯ ବର୍ଷୀୟା ଦଳିତ ମହିଳାଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ୟୁପିର ହାଥ୍ରାସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମର ଶିକାର ହେବାର ଆଜି ପ୍ରାୟ ୨ ସପ୍ତାହ ପରେ ତାଙ୍କର ପରଲୋକ ଘଟିଥିବା ସୂଚନା ରହିଛି।
ପୂର୍ବରୁ ସେ ଆଲିଗଡ଼ର ଜେଏନ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀର ଏକ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍(ଆଇସିୟୁ)ରେ ରଖାଯାଇଥିଲା।
ଏହି ମାମଲାର ୪ ଜଣ ଯାକ ଅଭିଯୁକ୍ତଙ୍କୁ ହାଥ୍ରାସ ପୁଲିସ୍ ଗିରଫ କରି ହେପାଜତରେ ରଖିଛି। ପୀଡ଼ିତା ମହିଳା ଦେଇ ଯାଇଥିବା ବୟାନ ମୁତାବକ ସେମାନେ ହେଉଛନ୍ତି ସନ୍ଦୀପ, ରାମୁ, ଲବକୁଶ ଏବଂ ରବି।

ହାଥ୍ରାସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ (ଏସପି) ବିକ୍ରାନ୍ତ ଭିର୍ ପୂର୍ବରୁ ସୂଚନା ଦେଇ କହିଥିଲେ ଯେ ‘ଘଟଣା ଦିନ ମହିଳା ଜଣକ ତାଙ୍କ ମାଆଙ୍କ ସହ କ୍ଷେତକୁ ଯାଇଥିଲେ। ଅଚାନକ ସେ ନିଖୋଜ ହୋଇ ଯାଇଥିଲେ। ମହିଳା ଜଣକ ନଖୋଜ ହେବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ମହିଳା ଯେତେବେଳେ ପରିବାର ଲୋକଙ୍କୁ ମିଳିଥିଲେ ସେତେବେଳେ ସେ ରକ୍ତ ଜୁଡୁବୁଡୁ ହୋଇ କ୍ଷତାକ୍ତ ଅବସ୍ଥାରେ ଥିଲେ।’
କେବଳ ଗଣଦୁଷ୍କର୍ମ ନୁହେଁ, ଅଭିଯୁକ୍ତମାନେ ତାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ମଧ୍ୟ କରିଥିବା ସୂଚନା ମିଳିଥିଲା। ତାଙ୍କ ଜିଭରେ ଏକ କଟା ଚିହ୍ନ ଥିବାର ବି ଦେଖିବାକୁ ମିଳିଥିଲା। ଅଭିଯୁକ୍ତମାନେ ତାଙ୍କ ଜିଭ କାଟିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଥିଲା।