ହାଥ୍‌ରସ ଗଣଦୁଷ୍କର୍ମ ଘଟଣାକୁ ଦୁର୍ଭାଗ୍ୟଜନକ ଓ ଅଭାବନୀୟ ବୋଲି କହିଲେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ହାଥ୍‌ରସ ଗଣଦୁଷ୍କର୍ମ ମାମଲାରେ ଆଜି ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ। ହାଥରସ ଘଟଣାକୁ ଦୁର୍ଭାଗ୍ୟଜନକ ଓ ଅଭାବନୀୟ ବୋଲି କହିବା ସହ ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସବିଶେଷ ତଥ୍ୟ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ।

ରାଜନୈତିକ ଉଦ୍ଦେଶ୍ୟରେ ଏହି ଘଟଣାକୁ ନେଇ ନକଲି କାହାଣୀ ପ୍ରଚାର ପ୍ରସାର ହେଉଥିବାରୁ ଉତ୍ତରପ୍ରଦେଶ ସରକାର ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଚାହୁଁଥିବାରୁ ଏହାକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଥିଲା।

Bar and Bench

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି ଘଟଣାରେ ତଦନ୍ତ ଯେପରି ସୁଗମ ହେବ ତାହାକୁ କୋର୍ଟ ନିଶ୍ଚିତ କରିବେ। ଶୁଣାଣି କାଳରେ ୟୁପି ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ଯେ ହାଥ୍‌ରସ ମାମଲାରେ ଏବେ ଅନେକ କାହାଣୀ ପ୍ରସାରିତ ହେଉଛି। ଏହା ମଧ୍ୟରୁ ଅନେକ ମିଥ୍ୟା ହୋଇଥିବା ବେଳେ ଅନେକ ହେଉଛି ଉଦ୍ଦେଶ୍ୟମୂଳକ। ତେଣୁ, ଏସବୁ କାହାଣୀକୁ ବନ୍ଦ କରିବା ଆବଶ୍ୟକ। ହାଥରସ୍‌ ମାମଲାରେ ସିବିଆଇ ଅନୁସନ୍ଧାନ ନିଶ୍ଚିତ କରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଅବସରରେ କୋର୍ଟଙ୍କୁ କହିଥିଲେ। ୟୁପି ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହଥିଲେ ଯେ ହାଥ୍‌ରସ ମାମଲାର ତଦନ୍ତ ସର୍ବୋଚ୍ଚ ଅଦାଲତଙ୍କ ତତ୍ତ୍ୱାବଧାନରେ ସିବିଆଇ ଦ୍ୱାରା କରା ଯାଇପାରେ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ରେ ହାଥ୍‌ରସରେ ଜଣେ ୧୯ ବର୍ଷୀୟା ଦଳିତ ମହିଳା ଚାରିଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଜଣକ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା କାଳରେ ସେପ୍ଟେମ୍ବର ୨୯ ତାରିଖରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ୩୦ ତାରିଖ ରାତିରେ ୟୁପି ପୁଲିସ୍‌ ତାଙ୍କ ପରିବାର ସଦସ୍ୟଙ୍କ ବିନା ଉପସ୍ଥିତିରେ ଗାଁ ଶ୍ମଶାନରେ ତାଙ୍କର ଶବ ଦାହ କରି ଦେଇଥିଲା।

ସମ୍ବନ୍ଧିତ ଖବର