ହାଥରାସ୍‌ ଗଣଦୁଷ୍କର୍ମ ମାମଲା: ପୁଲିସ ଆମକୁ ଫସାଇବାକୁ ଚେଷ୍ଟା କରୁଛି, ପୀଡ଼ିତାଙ୍କ ଭାଇ

ପୁଲିସକୁ ଚିଠି ଲେଖିଲା ମୁଖ୍ୟ ଅଭିଯୁକ୍ତ, ପୀଡ଼ିତା ପରିବାର ହିଁ ହତ୍ୟା କରିଛନ୍ତି

ହାଥରାସ୍‌: ହାଥରାସ୍‌ ପୀଡ଼ିତାଙ୍କ ଭାଇ ଏବଂ ମୁଖ୍ୟ ଅଭଯୁକ୍ତ ସନ୍ଦୀପ କୁମାର ଲଗାତାର ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କ ମଧ୍ୟରେ ଗତବର୍ଷ ଅକ୍ଟୋବରରୁ ଚଳିତ ମାର୍ଚ୍ଚ ମଧ୍ୟ‌ରେ ୧୦୪ ଥର ଫୋନ୍‌ କଲ୍‌ ହୋଇଛି ବୋଲି ୟୁପି ପୁଲିସ ଦାବି କରିଛି। କିନ୍ତୁ ପୀଡ଼ିତାଙ୍କ ଭାଇ ଏହି ଅଭି‌ଯୋଗକୁ ଖଣ୍ଡନ କରିଛନ୍ତି। ଅଭିଯୁକ୍ତ ସହ ସେମାନଙ୍କର କୌଣସି ପ୍ରକାର ସମ୍ପୃକ୍ତି ନଥିଲା । ପୁଲିସ ସିଡିଆର (କଲ୍‌ ଡିଟେଲ୍‌ ରେକର୍ଡ) ଦାବି ସହ ସେମାନଙ୍କୁ ଫସାଇବାକୁ ଚେଷ୍ଟା କରିଛି। କିନ୍ତୁ ଏହି ସିଡିଆର୍‌ର ସତ୍ୟତା ନେଇ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତାଙ୍କ ଭାଇ। ଏହା ଆମ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ହତ୍ୟାକାରୀମାନେ ଅତି ଧୂର୍ତ୍ତ। ସେମାନେ ନିଜକୁ ବଞ୍ଚାଇବା ପାଇଁ କିଛି ବି କରିପାରନ୍ତି। ପୀଡ଼ିତାଙ୍କ ଭାଇ କହିଛନ୍ତି, ସିମ୍‌ ତାଙ୍କ ବାପାଙ୍କ ପାଇଁ ୧୦ ବର୍ଷ ପୂର୍ବେ କିଣାଯାଇଥିଲ।। କାଳେ ସେ ଫୋନ୍‌ ହଜାଇଦେବେ ସେଥିଲାଗି ସେ ତାଙ୍କ ନିଜ ନାମରେ ସେହି ସିମ୍‌ଟିକୁ ପଂଜିକୃତ କରିଥିଲେ। ଫୋନ୍‌ ସବୁବେଳେ ଘରେ ରହେ। ସମସ୍ତଙ୍କ ନିକଟରେ ସେହି ନମ୍ବର ରହିଛି। ଏପରିକି ପ୍ରଧାନଙ୍କ ନିକଟରେ। ପୀଡ଼ିତାଙ୍କ ସାନ ଭାଇ ପୁଲିସ ଦାବିର ପ୍ରମ‌ାଣ ଚାହିଛନ୍ତି। ଯଦି ସେମାନଙ୍କ ପାଖରେ ରେକର୍ଡ ଅଛି ତା’ହେଲେ ସେମାନେ କଲ୍‌ ରେକର୍ଡ ଦେଖାନ୍ତୁ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ : ହାଥରାସ୍‌ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟମାନେ ୟୁପି ପୁଲିସକୁ ଏକ ଚିଠି ଲେଖିଛନ୍ତି। ମାମଲାରେ ସେମାନଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ଅଭିଯୁକ୍ତ ସନ୍ଦିପ କୁମାର ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୀଡ଼ିତାଙ୍କ ମା’ ଏବଂ ତାଙ୍କ ଭାଇ ତାଙ୍କୁ ନିର୍ଯାତନା ଦେଉଥିଲେ। ପୁଲିସକୁ ଲେଖିଥିବା ଚିଠିରେ ସନ୍ଦୀପ କହିନ୍ତି, ପୀଡ଼ିତାଙ୍କ ସହ ତାଙ୍କର ସଂପର୍କ ଥିଲା। ପୀଡ଼ିତାଙ୍କୁ ସେ କିଛି ସମୟରେ ଭେଟିଥାନ୍ତି ଏବଂ ଅନ୍ୟ କିଛି ‌ସମୟରେ ସେମାନେ ଫୋନ୍‌ରେ ମଧ୍ୟ କଥା ହୁଅନ୍ତି। ତେବେ ସନ୍ଦୀପ କହିଛନ୍ତି ପୀଡ଼ିତାଙ୍କ ପରିବାର ସଦସ୍ୟ ସେମାନଙ୍କ ବନ୍ଧୁତାକୁ ସହ୍ୟ କରିପାରୁନଥିଲେ। ଘଟଣା ଘଟିବା ଦିନ ସେ ପୀଡ଼ିତାଙ୍କୁ ଏକ କ୍ଷେତକୁ ଭେଟିବାକୁ ଯାଇଥିଲେ। ସେଦିନ ତାଙ୍କ ମା’ ଏବଂ ଭାଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ କିଛି ସମୟ ରହିବାପରେ ସେ ପୀଡ଼ିତାଙ୍କ କଥା ଅନୁଯାୟୀ ଘରକୁ ଫେରି ଆସିଥିଲେ। ଏହାର କିଛି ଘଣ୍ଟା ପରେ ଗାଁ ଲୋକଙ୍କଠାରୁ ସେ ଜାଣିବାକୁ ପାଇଲେ ଯେ, ପୀଡ଼ିତାଙ୍କ ମା’ ଏବଂ ଭାଇ ତାଙ୍କୁ ଖୁବ୍‌ ଜୋର ମାଡ଼ ମାରି ଗୁରୁତର କରିଦେଇଛନ୍ତି। ତାଙ୍କ ସଂପର୍କକୁ ବିରୋଧ କରି ପୀଡ଼ିତାଙ୍କ ମା’ ଏବଂ ଭାଇ ତାଙ୍କୁ ମାରଧର କରିଛନ୍ତି ବୋଲି ସେ ଜାଣିବାକୁ ପାଇଥିଲା। କିନ୍ତୁ ପୀଡ଼ିତା ପରିବାର ଭୁଲ୍‌ରେ ତାକୁ ଏବଂ ଅନ୍ୟ ୩ ଜଣଙ୍କୁ ଏହି ମାମଲାରେ ଫସାଇ ଦେଇଛନ୍ତି ବୋଲି ସନ୍ଦିପ କହିଛି। ଉକ୍ତ ଘଟଣାରେ ତଦନ୍ତ କରି ନ୍ୟାୟ ଦେବାପାଇଁ ସେ ତାଙ୍କ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ହାଥରାସ୍‌ ଏସ୍‌ପିଙ୍କୁ ସେମାନେ ସେମାନଙ୍କ ଚିଠି ପଠାଇଛନ୍ତି।

ସମ୍ବନ୍ଧିତ ଖବର