ବିଜେପି ସରକାରରେ ଘୃଣା ବଢ଼ିଛି: ରାହୁଲ

କଂଗ୍ରେସର ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍’ ରାଲି, ରାହୁଲଙ୍କୁ ସଭାପତି କରାଯିବାକୁ ଅଧୀରଙ୍କ ଦାବି

ନୂଆଦିଲ୍ଲୀ: ଦେଶରେ ଦରଦାମ, ବେକାରୀ ଏବଂ ଜିଏସ୍‌ଟି ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ‘ମହଙ୍ଗାଇ ପର୍ ହଲ୍ଲା ବୋଲ୍‌’ ନାମରେ ଏକ ମେଗାରାଲି ଆଜି ରାମଲୀଳା ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଉଦବୋଧନ ଦେଇ ବିଜେପି ଉପରେ ବର୍ଷିଛନ୍ତି। ବିଜେପି ସରକାରକୁ ଆସିବା ଦିନଠାରୁ ଦେଶରେ ଘୃଣା ଏବଂ କ୍ରୋଧ ବଢ଼ିଛି। ଲୋକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଭୟଭୀତ ଅଛନ୍ତି। ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବଢ଼ିଛି। ଚିରାଚରିତ ଭାବେ ରାହୁଲ ବିଜେପି ନେତୃତ୍ବାଧୀନ ‌କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ଯାଇ କହିଥିଲେ, ଏହି ସରକାରରୁ ଦୁଇଜଣ ବ୍ୟବସାୟୀ ଲାଭ ଉଠାଉଛନ୍ତି। ବିମାନ ବନ୍ଦର ହେଉ କିମ୍ବା ବନ୍ଦର, ରାସ୍ତା‌ ପ୍ରତ୍ୟେକ କ୍ଷେତ୍ରରେ ଏହି ଦୁଇ ବ୍ୟବସାୟୀଙ୍କ ଉପସ୍ଥିତି ରହିଛି। ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ହେଲା ଆମେ ଏହି ଦୁଇବ୍ୟକ୍ତିଙ୍କୁ ଲାଭ ଦେବୁ। କିନ୍ତୁ ଆମର ଆଦର୍ଶ ହେଲା ଦେଶର ପ୍ରଗତିର ଲାଭ ସମସ୍ତଙ୍କୁ ଦେବୁ। ପ୍ରଧାନମନ୍ତ୍ରୀ ଏହି ଦୁଇ ବ୍ୟବସାୟୀଙ୍କ ସହିତ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ଗଣମାଧ୍ୟମ, ନ୍ୟାୟପାଳିକା, ନିର୍ବାଚନ କମିସନ ଭଳି ପ୍ରତିଷ୍ଠାନ ଉପରେ ଚାପ ପଡ଼ିଛି। ସରକାର ଏସବୁ ଅନୁଷ୍ଠାନ ଉପରେ ଆକ୍ରମଣ କରିଛନ୍ତି। ଦେଶରେ ପୂର୍ବରୁ ଏଭଳି ଦରଦାମ ବୃଦ୍ଧି କେବେ ଦେଖା‌ଦେଇ ନଥିଲା। ସାଧାରଣ ଲୋକ ବହୁ ଅସୁବିଧା ଭିତରେ ଅଛନ୍ତି। ବିରୋଧୀ ଦଳଙ୍କୁ ଚୀନ୍‌, ଦରଦାମ ଏବଂ ବେକାରୀ ପ୍ରସଙ୍ଗ ସଂସଦରେ ଉଠାଇବାକୁ ଦିଆଯାଉନାହିଁ। ଆଗାମୀ ଭାରତ ଯୋଡ଼ୋ ଯାତ୍ରା ସମୟରେ ‌ସାଧାରଣ ଲୋକଙ୍କୁ ସରକାର ପ୍ରଚାର କରୁଥିବା ମିଛ ସଂପର୍କରେ ଅବଗତ କରାଯିବ। ମୋତେ ଇଡି ୫୫ ଘଣ୍ଟା ଜେରା କରିଛି। ୧୦୦ ବର୍ଷ ଜେରା କଲେ ବି ମୁଁ ତାହାକୁ ଖାତିର କରେନାହିଁ ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ପଦରେ ବସାଇବା ପାଇଁ ନେତା ଅଧୀର ରଂଜନ ଚୌଧୁରୀ ରାଲିରେ କହିଛନ୍ତି। ଏହି ଅବସରରେ ସେ ନିକଟରେ କଂଗ୍ରେସ ଛାଡ଼ିଥିବା ଗୁଲାମ ନବୀ ଆଜାଦଙ୍କୁ ‌ସମାଲୋଚନା କରିଛନ୍ତି। କଂଗ୍ରେସକୁ ଆସିବା ଏବଂ ଯିବା ସହଜ। କିନ୍ତୁ ଦଳରେ ରହିବା ପାଇଁ ଦୃଢ଼ ସଂକଳ୍ପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେବାପରେ ରାହୁଲ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସୋନିଆ ଗାନ୍ଧି ଅନ୍ତରୀଣ ସଭାପତି ଭାବେ ‌କଂଗ୍ରେସର ନେତୃତ୍ବ ନେଉଛନ୍ତି। କଂଗ୍ରେସ ଆସନ୍ତା ୭ ତାରିଖରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିବ। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୩୫୦୦ କିମି ଏହି ଯାତ୍ରା ଯିବ। ଦେଶରେ ଦରଦାମ ଏବଂ ବେକାରୀ ବୃଦ୍ଧି ପ୍ରସଙ୍ଗ ସହିତ ସାମ୍ପ୍ରଦାୟିକ ସଦଭାବର ପ୍ରସାର ପାଇଁ ଏହି ଯାତ୍ରା ହେବ। ହଲ୍ଲା ବୋଲ୍ ରାଲିର ୨୦୨୪ ନିର୍ବାଚନ ସହିତ କୌଣସି ସଂପର୍କ ନାହିଁ ବୋଲି ଦଳ କହିଛି।

ସମ୍ବନ୍ଧିତ ଖବର