ସିଆଇଏ ଅଧିକାରୀଙ୍କଠାରେ ‘ହାଭାନା ସିଣ୍ଡ୍ରୋମ୍’: ଚଳିତମାସରେ ଭାରତ ଆସିଥିଲେ

ୱାଶିଂଟନ: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ବିଲ୍ ବର୍ନସଙ୍କ ଚଳିତ ମାସରେ ଭାରତ ଗସ୍ତ ବେଳେ ତାଙ୍କ ଦଳରେ ଆସିଥିବା ଜଣେ ସଦସ୍ୟଙ୍କଠାରେ ରହସ୍ୟଜନକ ହାଭାନା ସିଣ୍ଡ୍ରୋମ୍ ଦେଖିବାକୁ ମିଳିଛି। ଏହାକୁ ନେଇ ଆମେରିକା ସରକାରରେ ଚିନ୍ତା ପ୍ରକଟ କରାଯିବା ପରେ ବର୍ନସ କ୍ଷୁବ୍ଧ ହୋଇଛନ୍ତି। ବର୍ନସ ଓ ତାଙ୍କ ଦଳ ସେପ୍ଟେମ୍ବର ୭ ତାରିଖରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଜାତୀୟ ସୁରକ୍ଷା କାଉନ୍ସିଲ ସେକ୍ରେଟେରିଏଟ୍‌ର ଅନ୍ୟମାନଙ୍କୁ ଭେଟିଥିଲେ। ଭାରତରୁ ଫେରି ସେମାନେ ପାକିସ୍ତାନ ଯାଇଥିଲେ, ଯେଉଁଠି ବର୍ନସ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବଜୱାଙ୍କୁ ଭେଟିଥିଲେ। ବର୍ନସଙ୍କ ଭାରତ ଗସ୍ତ ସମ୍ବନ୍ଧରେ ଗଣମାଧ୍ୟମରେ ଉଭୟ ଦେଶ ପକ୍ଷରୁ ସରକାରୀ ଭାବେ ପଦୁଟିଏ ମଧ୍ୟ ପ୍ରକାଶ କରାଯାଇ ନ ଥିଲା।

ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ସିଆଇଏ ମୁଖ୍ୟ ଭାରତ ଓ ପାକିସ୍ତାନ ଆସିଥିଲେ। ତେବେ ତାଙ୍କର ଏହି ଗସ୍ତକୁ ଗୋପନ ରଖାଯାଇଥିଲେ ମଧ୍ୟ ଅନ୍ୟମାନେ କିପରି ତାହା ଜାଣିପାରିଲେ ବୋଲି ପ୍ରଶ୍ନ ଉଠିଛି। ଯେଉଁ ଲୋକଠାରେ ହାଭାନା ସିଣ୍ଡ୍ରୋମ୍‌ର ଲକ୍ଷଣ ଦେଖାଯାଇଛି, ସେ ଆମେରିକା ଫେରିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା କରାଯାଇଛି। ଆମେରିକୀୟ ଗୁପ୍ତଚରଙ୍କୁ ହୋଇଥିବା ରହସ୍ୟମୟ ରୋଗ ହାଭାନା ସିଣ୍ଡ୍ରୋମ୍ ବିଷୟରେ ଆମେରିକା ପ୍ରଶାସନ ପକ୍ଷରୁ ସରକାରୀ ଭାବେ କିଛି କୁହାଯାଇ ନାହିଁ। ଏହି ରୋଗ ପ୍ରଥମେ ୨୦୧୬ ମସିହାରେ କ୍ୟୁବାଠାରେ ଚିହ୍ନଟ ହୋଇଥିଲା। ତା’ପରଠାରୁ ରୁଷିଆ, ଚୀନ୍, ଅଷ୍ଟ୍ରିଆ ଓ ଆଉ କେତେକ ଦେଶରେ ଅନୁରୂପ ରିପୋର୍ଟ କରାଯାଇଛି। ଗୋଟିଏ ମାସରେ ଏହା ଦ୍ବିତୀୟ ଥର ଘଟିଛି। ଗତ ମାସରେ ଉପରାଷ୍ଟ୍ରପତି କମଳା ହାରିସଙ୍କ ଭିଏତନାମ ଗସ୍ତକୁ ଟିକିଏ ବିଳମ୍ବିତ କରାଯାଇଥିଲା। କାରଣ ତାଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଅନେକ ଆମେରିକୀୟଙ୍କଠାରେ ଅନୁରୂପ ଲକ୍ଷଣ ପ୍ରକାଶ ପାଇଥିଲା।

ଏ ରୋଗ ବିଷୟରେ ବେଶି କିଛି ପ୍ରକାଶ ପାଇ ନାହିଁ। ତେବେ ଏହା ଉପରେ ୧୦୦ ଦିନ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବା ପାଇଁ ଆମେରିକୀୟ ଗୋଇନ୍ଦା ସଂସ୍ଥା ଦାୟିତ୍ବ ନେଇଛି। ମାଇକ୍ରୋୱେଭ୍ ଯୋଗୁ ଏହି ରୋଗ ହୋଇପାରେ ବୋଲି ଅନେକେ ଅନୁମାନ କରୁଛନ୍ତି। ଯେଉଁମାନେ ଏ ରୋଗରେ ପୀଡ଼ିତ ସେମାନଙ୍କଠାରେ କ୍ଳାନ୍ତି, ଦୁର୍ବଳତା, ମୁଣ୍ଡ ବୁଲେଇବା ପ୍ରଭୃତି ଲକ୍ଷଣ ପ୍ରକାଶ ପାଇଥାଏ। ତେବେ ଏହାର ମୁଖ୍ୟ ଲକ୍ଷଣ ହେଉଛି କାନ ପାଖରେ ଖୁବ୍ ଜୋରରେ ମହୁମାଛି ଗୁଣୁଗୁଣୁ ହେବା ପରି ଶବ୍ଦ ହେବା ଏବଂ କାନ ବନ୍ଦ କଲେ ବି ଶବ୍ଦ ଶୁଣାଯିବା। ଆଉ କେତେକ ଧୀର ସ୍ବରରେ ଗୁଣୁଗୁଣୁ ଶବ୍ଦ ଶୁଣାଯିବା ଓ ଖପୁରିରେ ଖୁବ୍ ଚାପ ଅନୁଭବ କରିବାର ରିପୋର୍ଟ କରିଛନ୍ତି।

ସମ୍ବନ୍ଧିତ ଖବର