ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାପରେ ତାଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍ କରାଯାଇଛି। ଏପ୍ରିଲ ୨୨ ସୁଦ୍ଧା ରାହୁଲ ବଙ୍ଗଳା ଛାଡ଼ିବାପାଇଁ ଲୋକସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି ହୋଇଛି। ତେବେ ଲୋକସଭା ସଚିବାଳୟର ନୋଟିସ ଉପରେ ରାହୁଲ ଜବାବ ରଖିଛନ୍ତି।
ରାହୁଲ କହିଛନ୍ତି, ବଙ୍ଗଳା ଛାଡ଼ିବାପାଇଁ ମତେ ଦିଆଯାଇଥିବା ନୋଟିସ୍ ପାଳନ କରିବି। ଲୋକସଭା ସଚିବାଳୟର ନୋଟିସ୍ ଉପରେ ଜବାବ ରଖି ରାହୁଲ ଲୋକସଭା ସଚିବାଳୟର ଏମଏସ୍ ବ୍ରାଞ୍ଚ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ରାହୁଲ କହିଛନ୍ତି, ୧୨ ତୁଗଲକ ଲେନ୍ ବଙ୍ଗଳା ଛାଡ଼ିବାପାଇଁ ୨୦୨୩ ମାର୍ଚ୍ଚ, ୨୩ ତାରିଖରେ ଦିଆଯାଇଥିବା ଚିଠି ପାଇଁ ଧନ୍ୟବାଦ। ଲୋକସଭା ସାଂସଦ ଭାବେ ଗତ ୪ଟି କାର୍ଯ୍ୟକାଳରେ ମୋର ଏହି ବଙ୍ଗଳା ସହ ଅନେକ ସୁଖଦ ସ୍ମୃତି ରହିଛି। ତେବେ ମୁଁ କୌଣସି ଅଧିକାର ଜାହିର ନକରି ଚିଠିରେ ଥିବା ସମସ୍ତ ନିର୍ଦ୍ଦେଶକୁ ପାଳନ କରିବି ବୋଲି ରାହୁଲ କହିଛନ୍ତି।