ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ତଥା ଟ୍ରାଭେଲ୍ ଭ୍ଲଗର୍ (ଭିଡିଓ ବ୍ଲଗର୍) ଜ୍ୟୋତି ମାଲହୋତ୍ରା ଓ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ପ୍ରମାଣ ମିଳିଥିବା ବେଳେ ଉଭୟଙ୍କର ଏକ କଥିତ ବାର୍ତ୍ତାଳାପ ସାମ୍ନାକୁ ଆସିଛି। ହରିୟାଣାର ହିସାରରେ ରହୁଥିବା ଏବଂ ‘ଟ୍ରାଭେଲ ୱିଥ୍ ଜୋ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିବା ମାଲହୋତ୍ରାଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ରେ କାମ କରୁଥିବା ଅଲି ହାସନଙ୍କ ସହ ସେ ନିରନ୍ତର ଯୋଗାଯୋଗରେ ଥିଲେ। ଦୁହେଁ ବହୁତ କଥାବାର୍ତ୍ତା କରୁଥିଲେ।
ଅଧିକାରୀମାନେ ବର୍ତ୍ତମାନ ୩୩ ବର୍ଷୀୟ ୟୁଟ୍ୟୁବର ଓ ହାସନଙ୍କ ମଧ୍ୟରେ ଏକ ହ୍ୱାଟ୍ସଆପ ବାର୍ତ୍ତାଳାପ ପାଇଛନ୍ତି। ଏକ ଚାଟ୍ରେ ମାଲହୋତ୍ରା ହାସନଙ୍କୁ କହିଥିଲେ, ‘ମୋତେ ପାକିସ୍ତାନରେ ବିବାହ କରାଇଦିଅ, ମୁଁ ଜଣେ ପାକିସ୍ତାନୀକୁ ବିବାହ କରିବାକୁ ଚାହୁଛି।’ ହ୍ୱାଟ୍ସଆପ୍ ଚାଟ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଅନେକ କୋଡେଡ୍ ବାର୍ତ୍ତାଳାପ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ବିଶେଷ କରି ଭାରତର ଗୁପ୍ତ ଅପରେସନ୍ ସହ ଜଡ଼ିତ। ତଦନ୍ତ ବେଳେ ପୁଲିସ ମାଲହୋତ୍ରାଙ୍କ ୪ଟି ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ସୂଚନା ପାଇଛି। ଗୋଟିଏ ଆକାଉଣ୍ଟରେ ଦୁବାଇର କାରବାର ମଧ୍ୟ ଦେଖିବାକୁ ମିଳିଥିଲା। ସେ କେଉଁଠୁ ଟଙ୍କା ପାଉଥିଲେ ତାହା ଜାଣିବା ପାଇଁ ଏଜେନ୍ସିଗୁଡ଼ିକ ଏବେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରୁଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ମାଲହୋତ୍ରା ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ, ଏହି ସମୟରେ ସେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନର ଅଧିକାରୀ ରହିମଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ରହିମ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ପରିଚିତ କରାଇଥିଲେ। ଭାରତ ଫେରିବା ପରେ ସେ ତାଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ରହି ଭାରତୀୟ ସେନାର ଗତିବିଧି ସମ୍ପର୍କରେ ସମ୍ବେଦନଶୀଳ ତଥ୍ୟ ସେମାନଙ୍କ ସହ ସେୟାର କରିଥିବା ଅଭିଯୋଗ ହୋଇଛି।