ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଭାଇରସ୍ ଲଗାତାର ରୂପ ବଦଳାଉଛି। ଆଗକୁ ଡେଲ୍ଟାଠାରୁ ବି ଆହୁରି ଭୟଙ୍କର ପ୍ରଜାତି ଆସିପାରେ। ତେଣୁ ଆମକୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବା ସଂକ୍ରାନ୍ତ ଆଶଙ୍କାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଡାକ୍ତର ସୌମ୍ୟା କହିଛନ୍ତି, ଶିଶୁଙ୍କ ଶରୀରରେ କୋଭିଡ୍ ଏଣ୍ଟିବଡି ରହିଛି। ଆଇସିଏମ୍ଆର ସେରୋସର୍ଭେ ତଥ୍ୟ ପ୍ରମାଣ କରିଦେଇଛି ଯେ, ଦେଶରେ ଅଧିକାଂଶ ଶିଶୁ କୋଭିଡ୍ ଦ୍ବାରା ସାମାନ୍ୟ ଭାବେ ପ୍ରଭାବିତ ହୋଇଛନ୍ତି। ତେବେ ପ୍ରଥମ ଦୁଇ ଲହରରେ ଶିଶୁ ଅଧିକ ପ୍ରଭାବିତ ହୋଇନଥିବାରୁ ଆଗାମୀ ଲହରରେ ସେମାନେ ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ଏଦିଗରେ କୌଣସି ବିଜ୍ଞାନ ସମ୍ମତ ପ୍ରମାଣ ନାହିଁ ବୋଲି ଡାକ୍ତର ସ୍ବାମୀନାଥନ କହିଛନ୍ତି।
ସମସ୍ତେ କଟକଣା ମଧ୍ୟରେ ବ୍ୟସ୍ତ ହୋଇଗଲେଣି ଏବଂ ନିଜ ନିଜ ବନ୍ଧୁ ପରିଜନଙ୍କୁ ଭେଟିବା ଏବଂ ଖୁସି ମନାଇବାକୁ ଚାହୁଛନ୍ତି। କିନ୍ତୁ ଏବେ କଟକଣା କୋହଳ କଲେ ଚଳିବ ନାହିଁ। ଆଗାମୀ ୬ ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆଗାମୀ ୬ ମାସରେ ଭାଇରସ୍ ଚାଲିଯିବ ନାହିଁ କିନ୍ତୁ ଟିକାକରଣ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଭାରତ ଏବେ ଦ୍ବିତୀୟ ଲହର ଶୀର୍ଷ ଏବଂ ଏକ ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ରହିଛି। ତୃତୀୟ ଲହର ଆସନ୍ତା ଅକ୍ଟୋବରରେ ଶୀର୍ଷ ଛୁଇଁବ ବୋଲି କୁହାଯାଉଛି।