ନିର୍ବାଚନରେ ଅର୍ଥବଳ, ବାହୁବଳ ଏବଂ ସରକାରୀ କଳର ଅପବ୍ୟବହାର ଉପରେ ଆୟୋଗର ‘ଶୂନ୍ୟ-ସହନଶୀଳତା’ ରହିବ; ନିର୍ବାଚନ କମିଶନ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଚାରିରୁ ପାଞ୍ଚ ମାସ ବାକି ରହି ଯାଇଥିବା ବେଳେ ଏବେଠାରୁ ସେଠାରେ ରାଜନୈତିକ ତାତି ପରିଲକ୍ଷିତ ହେବା ସହ ରାଜନୈତିକ ହିଂସା ଉଗ୍ରରୂପ ଧାରଣ କଲାଣି। ଏହାକୁ ଦେଖିବା ପରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି (ଶୁକ୍ରବାର) କହିଛନ୍ତି ଯେ ନିର୍ବାଚନରେ ଅର୍ଥବଳ, ବାହୁବଳ ଏବଂ ସରକାରୀ କଳର ଅପବ୍ୟବହାରକୁ ଆଦୌ ବରଦାସ୍ତ କରାଯାଇ ପରିବ ନାହିଁ ଏବଂ ଏସବୁ ପ୍ରତି ନିର୍ବାଚନ କମିଶନଙ୍କର ‘ଶୂନ୍ୟ-ସହନଶୀଳତା’ ରହିବ।

ଏପ୍ରିଲ-ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ପାଇଁ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବରିଷ୍ଠ ସରକାରୀ କର୍ମଚାରୀ ଏବଂ ପୁଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗରେ ନିର୍ବାଚନ କାଳରେ କୌଣସି ନାଗରିକ ପୁଲିସ ବା ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ନାହିଁ ବୋଲି କମିଶନ ସ୍ପଷ୍ଟ କରି ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନ (ସିଇସି) ଗଣମାଧ୍ୟମକୁ କହିଛନ୍ତି ଯେ ନିର୍ବାଚନରେ ଅର୍ଥବଳ, ବାହୁବଳ ଏବଂ ସରକାରୀ କଳର ଅପବ୍ୟବହାର ପାଇଁ ଆୟୋଗର ଶୂନ୍ୟ ସହନଶୀଳତା ରହିଛି। ସେ କହିଛନ୍ତି ଯେ ନିର୍ବାଚନରେ ଅର୍ଥର ଅପବ୍ୟବହାରକୁ ରୋକିବା ପାଇଁ ଇସିର ଖର୍ଚ୍ଚ ପର୍ଯ୍ୟବେକ୍ଷକ ପଦକ୍ଷେପ ନେବେ।

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଦେଖାଦେଇଛି ବୋଲି ଦାବି କରି ବିରୋଧୀ ଦଳମାନେ ରାଜ୍ୟରେ ମୁକ୍ତ ଏବଂ ନିରପେକ୍ଷ ମତଦାନ ଅନୁଷ୍ଠିତ କରାଇବା ପାଇଁ ଇସିର ପୂର୍ଣ୍ଣ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ସୀମା ସୁରକ୍ଷା ବଳ (ବିଏସଏଫ) ବିରୋଧରେ ଏକ ରାଜନୈତିକ ଦଳ ଆଣିଥିବା ଅଭିଯୋଗକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ମୁଖ୍ୟ ନିର୍ବାଚନ କମିଶନ ଶ୍ରୀ ଆରୋରା କହିଛନ୍ତି ଯେ ବିଏସ୍‌ଏଫ୍‌ ଦେଶର ସର୍ବୋତ୍ତମ ଶକ୍ତି ମଧ୍ୟରୁ ଅନ୍ୟତମ। ସେ କହିଛନ୍ତି ଯେ ସଂପୃକ୍ତ ରାଜନୈତିକ ଦଳ ଏହାର ଅଭିଯୋଗକୁ ସମର୍ଥନ କରିବା ପାଇଁ ଏ ବାବଦରେ ଅଧିକ ତଥ୍ୟ ଆଣିବା ଉଚିତ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ବିଏସଏଫ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ ଭୋଟ୍‌ ଦେବାକୁ ଧମକ ଦେଉଛି।

ସମ୍ବନ୍ଧିତ ଖବର