ହୋନୋଲୁଲୁ: ହାଓ୍ଵାଇ ଆଡ଼କୁ ଗୋଟାଏ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ି ଆସୁଛି ବୋଲି ମିଥ୍ୟା ସତର୍କତା ଜାରି ହେବା ପରେ ଶନିବାର ଦିନ ସମଗ୍ର ଦ୍ୱୀପରେ ଆତଙ୍କ ଖେଳିଯାଇଥିଲା। ଭୁଲ୍ କ୍ରମେ ଏ ଭଳି ସେଲ୍ଫୋନ୍ ସତର୍କ ସୂଚନା ଜାରି ହୋଇଛି ବୋଲି ନ କହିବା ଯାଏଁ ଲୋକେ ରାଜପଥରେ ନିଜର କାର୍ ଛାଡ଼ି, ଘରଦ୍ୱାର ଛାଡ଼ି ପଳାଇ ଯିବାକୁ ବସିଥିଲେ।
ଅସଲ କଥାଟି କ’ଣ ତାହା ଜଣାପଡ଼ି ନାହିଁ। ହାଉସ୍ ସ୍ପିକର୍ ସ୍କଟ୍ ସାଇକି କହନ୍ତି: କେହି ଜଣେ ଭୁଲ୍ ବଟନ୍ ଟିପି ଦେଇଥିବାରୁ ଏମିତି ହୋଇଛି। କିନ୍ତୁ ହ୍ଵାଇଟ୍ ହାଉସ୍ କହିଛି ଏହା ପୂର୍ବାଭ୍ୟାସ ଛଡ଼ା ଅନ୍ୟ କିଛି ନୁହେଁ।
କିନ୍ତୁ ପ୍ରାୟ ୪୦ ମିନିଟ୍ ଧରି ସେଠାରେ ଏ ଭଳି ବାତାବରଣ ସୃଷ୍ଟି ହୋଇଥିଲା ସତେ ଅବା ହାଓ୍ଵାଇ ଦ୍ୱୀପରେ ହିଁ ପୃଥ୍ଵୀ ଧ୍ୱଂସ ହେବାକୁ ଯାଉଛି। ହାଓ୍ଵାଇ ସର୍ବଦା ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ଡରି ରହିଥିବାରୁ ସେଠାରେ ଏମିତି ହେବା ସ୍ୱାଭାବିକ।
ପୂର୍ବାହ୍ନ ୮ଟା ୧୦ ମିନିଟ୍ ପୂର୍ବରୁ ଦେଶବ୍ୟାପୀ ସେଲ୍ଫୋନ୍କୁ ଯାଇଥିବା ସତର୍କ ସୂଚନାଟି ହେଉଛି: ହାଓ୍ଵାଇକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ି ଆସୁଛି। ତୁରନ୍ତ ଆଶ୍ରୟସ୍ଥଳକୁ ଚାଲିଯାଅ। ଏହା ପୂର୍ବାଭ୍ୟାସ ନୁହେଁ।
ସତର୍କ ସୂଚନା ଆସିବା ପରେ ଡ୍ରାଇଭର୍ମାନେ ଛାନିଆରେ ଆଖପାଖରେ ଥିବା ଟନେଲ୍ ଭିତରକୁ ଚାଲି ଯିବାରୁ ଉତ୍ତର ହୋନୋଲୁଲୁର ମୁଖ୍ୟ ରାଜପଥ ଏଚ୍-ଥ୍ରି ଅନେକ ଖାଲି ଯାନବାହନ ରଖା ଯାଇଥିବାର ଦେଖା ଯାଇଥିଲା। ଗୋଟାଏ ଗଲ୍ଫ୍ କ୍ଲବ୍ରେ କର୍ମଚାରୀମାନେ ବିପଦ୍ ଆଶଙ୍କାରେ ରୋଷେଇ ଘରେ ପଶିଯାଇଥିଲେ। କ’ଣ କରିବା କହି ସଭିଏଁ ଏଣେ ତେଣେ ଧାଅାଁଦୌଡ଼ କରୁଥିଲେ।
୧୦ ମିନିଟ୍ ପରେ ହାଓ୍ଵାଇ ଏମର୍ଜେନ୍ସି ମ୍ୟାନେଜ୍ମେଣ୍ଟ୍ ଏଜେନ୍ସି ଟୁଇଟ୍ କରିଥିଲା ଯେ ବିପଦ୍ର କୌଣସି ସୂଚନା ନାହିଁ। କିନ୍ତୁ, ସେତେବେଳେ ଲୋକେ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ନ ଥିବାରୁ ଏ ସୂଚନା ପାଇ ପାରି ନ ଥିଲେ। ଏଇଟା ‘ମିଥ୍ୟା ସତର୍କ ସୂଚନା’ ବୋଲି ପୁଣି ଏକ ସଂଶୋଧିତ ସୂଚନା ୩୮ ମିନିଟ୍ ପରେ ଲୋକଙ୍କ ସେଲ୍ଫୋନ୍ରେ ପହଞ୍ଚି ଥିଲା।