ଶାହରୁଖଙ୍କୁ ଗୁଜୁରାଟ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି 

ଅହମ୍ମଦାବାଦ: ‘ରଇସ୍‌’ ଚଳଚ୍ଚିତ୍ରର ପ୍ରମୋଶନ ବେଳେ ଦଳାଚକଟା ଘଟଣାରେ ଅଭିନେତା ଶାହରୁଖ ଖାନ୍‌ଙ୍କୁ ଗୁଜୁରାଟ ହାଇକୋର୍ଟରୁ ଆଜି ଏକ ବଡ଼ ଆଶ୍ୱସ୍ତି ମିଳିଛି। ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ଆଶ୍ୱସ୍ତି ଦେଇ ଗୁଜୁରାଟ ହାଇକୋର୍ଟ ବୁଧବାର ତାଙ୍କ ଚଳଚ୍ଚିତ୍ର ରଇସର ପ୍ରଚାର ପାଇଁ ସେ ଟ୍ରେନ୍‌ ଯାତ୍ରା ସମୟରେ ଭଦୋଦରାର ରେଳ ଷ୍ଟେସନରେ ଘଟିଥିବା ଏକ ଦଳାଚକଟା ଘଟଣାରେ ତାଙ୍କ ବିରୋଧରେ ଆଗତ ୨୦୧୭ର ଏକ ଅପରାଧିକ ମାମଲାକୁ ରଦ୍ଦ କରି ଦେଇଛନ୍ତି।

ଚଳଚ୍ଚିତ୍ର ରଇସ୍‌ ପାଇଁ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଭଦୋଦରା ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହେବା, ଅନ୍ୟମାନଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ପାଇଁ କାର୍ଯ୍ୟ କରିଥିବା ଅଭିଯୋଗରେ ଶାହରୁଖ ଖାନଙ୍କ ବିରୋଧରେ ଏହି ମାମଲା ରୁଜୁ କରା ଯାଇଥିଲା।

ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ନିଖିଲ କାରିଏଲ ଶାହରୁଖ ଖାନଙ୍କ ବିରୋଧରେ ଆଗତ ଅପରାଧିକ ମାମଲାକୁ ରଦ୍ଦ କରି ଦେଇଛନ୍ତି। ଏହି ମାମଲାରେ ନିମ୍ନ ଅଦାଲତ ଶାହରୁଖଙ୍କୁ ସିଆରପିସିର ଧାରା ୨୦୪  ଅନୁଯାୟୀ ସମନ ଜାରି କରିବା ପରେ ଖାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଭଦୋଦରାର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଏକ ଅଦାଲତ ଖାନଙ୍କୁ ସମନ ଜାରି କରି ଉଲ୍ଲେଖ କରିଥିଲେ ଯେ ଅନ୍ୟମାନଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ଏବଂ ଏପରି କାର୍ଯ୍ୟ ଦ୍ୱାରା ସେମାନଙ୍କୁ  ଗୁରୁତର ଆଘାତ ଦେଇଥିବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୩୬, ୩୩୭ ଓ ୩୩୮  ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ଆଧାର ରହିଛି।

ଉଲ୍ଲେଖଯୋଗ୍ୟ, ଅଭିନେତା ଶାହରୁଖ ଖାନ ରଇସ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ମୁମ୍ବାଇରୁ ଦିଲ୍ଲୀ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ଯେତେବେଳେ ଟ୍ରେନ୍‌ ଭଦୋଦରା ରେଳ ଷ୍ଟେସନରେ ପହଞତଚିଲା ସେତେବେଳେ ତାଙ୍କର ଶହ ଶହ ପ୍ରଶଂସକ ତାଙ୍କ ଝଲକ ପାଇବା ପାଇଁ ପ୍ଲାଟଫର୍ମକୁ ଦୌଡ଼ି ଆସିଥିଲେ। ଏହି ସମୟରେ ସୁପରଷ୍ଟାର ଶାହରୁଖ ଭିଡ଼ ଉପରକୁ ‘ସ୍ମାଇଲି ବଲ୍‌’ ଏବଂ ‘ଟି-ସାର୍ଟ’ ଫିଙ୍ଗିଥିଲେ, ଯାହା ଫଳରେ ସେଠାରେ ଗଣ୍ଡଗୋଳ  ସହ ଦଳାଚକଟା ହୋଇଥିଲା।

ସମ୍ବନ୍ଧିତ ଖବର