ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ‘ଆଜତକ୍‌’ର ପରାମର୍ଶଦାତା ସମ୍ପାଦକ ସୁଧୀର ଚୌଧୁରୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Advertisment

ବେଙ୍ଗାଲୁରୁର ଶେଷାଦ୍ରିପୁରମ୍‌ ଥାନାରେ ସମ୍ପାଦକଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ଚୌଧୁରୀଙ୍କ ଓକିଲ ଉଦୟ ହୋଲ୍ଲାଙ୍କ ଯୁକ୍ତିକୁ ଶୁଣାଣି କରି ହାଇକୋର୍ଟଙ୍କ ଖଣ୍ଡପୀଠ ଅନ୍ତରୀଣ ସୁରକ୍ଷାକୁ ବଢ଼ାଇବା ପରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

ଚୌଧୁରୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ସରକାରୀ ନୀତିକୁ ସମାଲୋଚନା କରିବା ଅନୁମୋଦିତ ଏବଂ ଏଥିରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୫୩ଏ (ଧର୍ମ ଆଧାରରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା)ର ବ୍ୟବସ୍ଥା ନାହିଁ, ଯାହା ଅଧୀନରେ ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେପ୍ଟେମ୍ବର ୧୧ରେ ରିପୋର୍ଟ ପ୍ରକାଶ ପାଇବା ପରଠାରୁ କୌଣସି ହିଂସା କାଣ୍ଡ ଘଟିନାହିଁ। ଅର୍ଥାତ୍‌ ଲୋକମାନେ ଏହାକୁ ଠିକ୍‌ ଭାବେ ନେଇଛନ୍ତି ବୋଲି ସେ ଦର୍ଶାଇଛନ୍ତି। ଏହା ପୂର୍ବରୁ ହାଇକୋର୍ଟ ସେପ୍ଟେମ୍ବର ୧୫ରେ ଚୌଧୁରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

କର୍ଣ୍ଣାଟକ ସଂଖ୍ୟାଲଘୁ ଉନ୍ନୟନ ନିଗମ ଲିମିଟେଡ୍‌ର ସହକାରୀ ପ୍ରଶାସନିକ ଅଧିକାରୀ ଶିବକୁମାର ଏସ୍‌ ଅଭିଯୋଗ କରଥିଲେ ଯେ ଚୌଧୁରୀ ‘ଆଜତକ୍‌’ ଚ୍ୟାନେଲରେ ଏକ କାର୍ଯ୍ୟକ୍ରମରେ ଏକ ସରକାରୀ ଯୋଜନା ବିଷୟରେ ଭୁଲ ତଥ୍ୟ ପ୍ରସାରଣ କରିଛନ୍ତି।