ଓକିଲ-ପୁଲିସ ବିବାଦ ମାମଲାରେ ନିଜ ପୂର୍ବ ରାୟକୁ କାଏମ ରଖିଲେ ଦିଲ୍ଲୀ ହାଇକୋର୍ଟ, ଓକିଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଲିସ ଓ ଓକିଲ ବିବାଦ ମାମଲାରେ ନିଜର ପୂର୍ବ ରାୟକୁ କାଏମ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହିତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ଓ ୨ ପୁଲିସ ଅଧିକାରୀଙ୍କ ଉପରେ ନିଲମ୍ବନ ଆଦେଶ ଅବ୍ୟାହତ ରହିବ ବୋଲି ରାୟ ଦେଇଛନ୍ତି । ଦିଲ୍ଲୀ ପୁଲିସ ପକ୍ଷରୁ ଦାଏର ରିଭ୍ୟୁ ପିଟିସନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ ବାର କାଉନସିଲ ପକ୍ଷରୁ କୁହାଯାଇଛି ଯେ ପୁଲିସ କର୍ମଚାରୀଙ୍କ ଆନ୍ଦୋଳନ ଭାରତୀୟ ଗଣତନ୍ତ୍ରରେ ଏକ କଳା ଦିବସ । ଏହି ଆନ୍ଦୋଳନ ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି । ଆଜି ଆନ୍ଦୋଳନ କରୁଥିବା ଓକିଲମାନେ କହିଛନ୍ତି ଯେ ପୁଲିସ ନିଜ କ୍ଷମତାର ଅପବ୍ୟବହାର କରୁଛି । ଅନ୍ୟରକ୍ଷରେ ଏହି ମାମଲାର ଗଣମାଧ୍ୟମ ପ୍ରସାରଣ ଉପରେ ରୋକ ଲଗାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ଏଥିରେ ରାଜି ହୋଇନାହାନ୍ତି ।
କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଓକିଲଙ୍କ ମାଡ ପ୍ରତିବାଦରେ ଗତକାଲି ଦିଲ୍ଲୀପୁଲିସ ଯବାନମାନେ ଧର୍ମଘଟରେ ବସିଥିଲେ । ତେବେ ଦୋଷୀ ଓକିଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରତ ପୁଲିସ କର୍ମଚାରୀମାନେ ଗତ ରାତିରେ ଧର୍ମଘଟ ପ୍ରତ୍ୟାହାର କରିଥିଲେ ।